ସରସ୍ୱତୀ ବିଗତ ୪ ବର୍ଷ ହେଲା ନିଜ ଘରେ ଆରମ୍ଭ କରିଛନ୍ତି ଆର୍ଯ୍ୟନ ଏଣ୍ଟରପ୍ରାଇଜର୍ସ ନାମରେ ଏକ ଉଦ୍ୟୋଗ । ଏଠାରୁ ଫିନାଇଲ ,ଫ୍ଲୋରକ୍ଲିନର,ତରଳ ଡିଟରଜେଣ୍ଟ ସାଙ୍ଗକୁ ଅନ୍ୟାନ୍ୟ ୧୦ ପ୍ରକାରର ସ୍ୱଚ୍ଛତା ସାମଗ୍ରୀ ଉତ୍ପାଦିତ ହୋଇ ଆଖପାଖ ବଜାରକୁ ଯାଉଛି । ସରସ୍ବତୀ କହନ୍ତି ପିଲାଟି ଦିନରୁ ଇଛାଥିଲା ସ୍ୱାଧୀନ ଭାବେ କିଛି ଗୋଟେ ନୂଆ କାମ କରିବା । ପରେ ଘର କାମରୁ ସମୟ ମିଳିବା ପରେ ଫିନାଇଲ ତିଆରି ତାଲିମ ନେଇ ୧୦ ହଜାର ଟଙ୍କାରେ ଆରମ୍ଭ କରିଥିଲି ବ୍ୟବସାୟ । ପରେ ଗହଣା ବନ୍ଧକ ବିନିମୟରେ ଆଣିଥିବା ୬୦ ହଜାର ଟଙ୍କାକୁ ବ୍ୟବସାୟରେ ନିବେଶ କଲି । ଏବେ ଦୁଇଜଣଙ୍କୁ ଦେଇଛି ନିଯୁକ୍ତି । ତେଣେ ଏଠାରେ ଅନେକ ପ୍ରକାର ଉତ୍ପାଦ ତିଆରି ହେଉଛି ଏବଂ ଏସବୁ କାମ କରି ଆମେ ପରିବାର ପ୍ରତିପୋଷଣ କରିପାରୁଥିବା କହିଛନ୍ତି ନିୟୋଜିତ କର୍ମଚାରୀ ।
ସରସ୍ୱତୀଙ୍କ ଘର ପାଲଟିଛି ଉଦ୍ୟୋଗ । ବିଭିନ୍ନ ଆଡୁ କଞ୍ଚାମାଲ ଆସି କରାଯାଇଛି ସଂରକ୍ଷଣ । ନିଜେ ସରସ୍ୱତୀ ପ୍ରସ୍ତୁତ କରୁଛନ୍ତି ଫିନାଇଲ । ତାଙ୍କୁ କାମରେ ସହାୟତା କରୁଛନ୍ତି ନିୟୋଜିତ କର୍ମଚାରୀ । ବୋତଲ ଓ ଜାର ମାନଙ୍କରେ ପ୍ୟାକ କରାଯାଉଛି ଫିନାଇଲ ,ଫ୍ଲୋର କ୍ଲିନର ଓ ଟଏଲେଟ କ୍ଲିନର । ଏସବୁ ତିଆରି ପାଇଁ ସରସ୍ୱତୀକଞ୍ଚାମାଲ ଗୁଡିକୁ ମୁମ୍ବାଇ ,କୋଲକାତାରୁ ଆଣିଥାନ୍ତି ଓ ସୁବିଧା ଦରରେ ପଡୋଶୀ ଯାଜପୁର ଓ ବାଲେଶ୍ୱର ଜିଲ୍ଲାର ବ୍ୟବସାୟୀଙ୍କୁ ଦେଇଥାନ୍ତି । ସ୍ଥାନୀୟ ଜଣେ ବ୍ୟବସାୟୀ କହନ୍ତି ପାଖରେ ଭଲ ମାନର ଉତ୍ପାଦ ମିଳୁଥିବାରୁ ମୁଁ ଏଠାରୁ ମାସିକ ୫୦/୬୦ ହଜାର ଟଙ୍କାର ସାମଗ୍ରୀ ନେଇଥାଏ । ସରସ୍ୱତୀଙ୍କ ଭଣଞ୍ଜା ରୁଦ୍ର ଓ ସ୍ଥାନୀୟ ବାସିନ୍ଦା ଦୁର୍ଯ୍ୟୋଧନ ଲେଙ୍କା ଏହି ଗୃହ ଉଦ୍ୟୋଗର ସଫଳତା ପାଇଁ ସମସ୍ତ ଶ୍ରେୟ ସରସ୍ୱତୀଙ୍କୁ ଦେଇଛନ୍ତି ।
ପରିମଳ ସାମଗ୍ରୀକୁ ବ୍ୟବସାୟର ରୂପ ଦେଇ ନିଜେ ସ୍ୱରୋଜଗାରୀ ହେବା ସହିତ ସ୍ୱଚ୍ଛତା ଆନ୍ଦୋଳନର ଅଗ୍ରଦୂତ ପାଲଟିଛନ୍ତି ସରସ୍ୱତୀ। ଗହଣା ବନ୍ଧକ ଟଙ୍କାରେ ଆରମ୍ଭ ହୋଇଥିବା ତାଙ୍କର ଏହି ଗୃହ ଉଦ୍ୟୋଗ ଏବେ ୪ ଟି ଜିଲ୍ଲାରେ ନିଆରା ଏକ ପ୍ରତିଛବି ସୃଷ୍ଟି କରିଛି ।