ସୋର: ଭୁଲ ଇଞ୍ଜେକ୍ସନ ନେଲା ନାବାଳକର ଜୀବନ । ଏଥର କୌଣସି ଡାକ୍ତର କିମ୍ବା ନର୍ସଙ୍କ ପାଇଁ ନୁହେଁ ଔଷଧ ଦୋକନୀଙ୍କ ଭୁଲ ଇଞ୍ଜେକ୍ସନ ନେଇଛି ଜୀବନ । ଅନଭିଜ୍ଞ ଜଣେ ଔଷଧ ଦୋକାନୀ ଭୁଲ ଇଞ୍ଜେକ୍ସନ ଦେଇ ନାବାଳକର ଜୀବନ ନେଇଥିବା ଥାନାରେ ଅଭିଯୋଗ କରିଛନ୍ତି ମୃତକର ପରିବାର ଲୋକେ ।
ଏଭଳି ଏକ ଅଭାବନୀୟ ଘଟଣା ଦେଖିଵାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଡା ଅଞ୍ଚଳରେ । ବିନୋଦ ସାହାଣୀ ବିହାର ଦରଭଙ୍ଗା ଅଞ୍ଚଳରୁ ଆସି ସିମୁଳିଆ ଅଡା ବଜାରରେ ଦୀର୍ଘ ୫ବର୍ଷ ଧରି ବେପାର କରି ଆସୁଛନ୍ତି । ଗତ ଦଶ ଦିନ ତଳେ ବିନୋଦଙ୍କ ବଡ ଭାଇର ପୁଅ ଅମିତ ସାହାଣୀ ବୁଲିବାକୁ ଆସିଥିଲେ ।
ଗତକାଲି ଅମିତକୁ ଜ୍ୱର ଏବଂ ବାନ୍ତି ହେବାରୁ ସିମୁଳିଆ ବଜାର ସ୍ଥିତ ପ୍ରଶାନ୍ତି ଔଷଧ ଦୋକାନକୁ ଔଷଧ ଆଣିବାକୁ ନେଇଯାଇଥିଲା ବେଳେ ସେଠାରେ ଔଷଧ ଦୋକାନୀ ବୁନୁ ବାବୁ ଲୋ ଜ୍ୱର ହୋଇଛି ବୋଲି କହି ଏକ ଇଂଜେକ୍ସନ ଦେଇଥିଲେ । ଘରକୁ ଫେରିବା ପରେ ମାତ୍ର କିଛି ଘଣ୍ଟା ପରେ ଅମିତ ମୃତ୍ୟୁବରଣ କରିଥିଲା ବୋଲି କହିଛନ୍ତି ବିନୋଦ । ଯାହାକୁ ନେଇ ମୃତକଙ୍କ ପରିବାର ଲୋକେ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି ।
ରାଜ୍ୟରେ ମାତିଥିବା ଜାଲି ଡାକ୍ତରଙ୍କ ପରେ ଏବେ ଔଷଧ ଦୋକାନୀ ଡାକ୍ତର ସାଜି ଆଉ ଜଣେ ନାବାଳକାର ଜୀବନ ନେଇଥିବା ଘଟଣା ସାମ୍ନାକୁ ଆସିବା ପରେ ସାଧାରଣରେ ଚିନ୍ତାର ବିଷୟ ପାଲଟିଛି ।
