ଦାଣ୍ଡ ଦୁଆରେ ଥୁଆ ହୋଇଛି ଶୁଭ କଳସୀ । ସେହିପରି ଘର ଭିତରେ ଥିବା କୁଲାରେ ମଧ୍ୟ ଶୁଭ ଦୀପ ସହିତ ଅରୁଆ ଚାଉଳ ସଜା ହୋଇ ଥୁଆ ହୋଇଛି । କାନ୍ଥରେ ମଧ୍ୟ ଲେଖା ଯାଇଛି ଦୁଇଟି ନାଁ । ଅରୁଣ ସହିତ ଲିଲି । ଏ ଚିତ୍ରକୁ ଦେଖିଲେ ଆପଣ ଜାଣିପାରୁଥିବେ ଏଠି ବିବାହ ଚାଲିଛି । ହେଲେ ଏ ବାହାଘର କିଛି ଏମିତି ସେମିତି ବାହାଘର ନୁହେଁ । ସମାଜ ସ୍ୱୀକୃତି ଦେଉନଥିବା ଏକ ବାହାଘରର ଚିତ୍ର । ବାଙ୍କୀ ଡମପଡା ବ୍ଲକ ରଗଡି ଗାଁର ଅରୁଣ କୁମାର ବାରିକ ପରିବାରର ସ୍ୱୀକୃତି କ୍ରମେ ନିଜ ବିଧବା ଭାଉଜଙ୍କ ମଥାରେ ସିନ୍ଦୁର ଦେଇ ଆଜି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି ।
ଦୀର୍ଘ ୨ ବର୍ଷ ପୂର୍ବେ ଅରୁଣଙ୍କ ମଝିଆଁ ଭାଇ ବିଜୟ କୁମାର ବାରିକ କରୋନାରେ ଆଖିବୁଜିଥିଲେ । ସେବେଠାରୁ ଏକାକୀ ହୋଇଯାଇଥିଲେ ତାଙ୍କ ପତ୍ନୀ ଲିଲି ବାରିକ । ଏହି ସମୟରେ ନିଜକୁ ଅସହାୟ ମନେ କରୁଥିବା ଲିଲିଙ୍କ ହାତ ଧରିଛନ୍ତି ତାଙ୍କ ଦିଅର ଅରୁଣ । ଆଉ ନିଜ ଭାଉଜ ମଥାରେ ସିନ୍ଦୁର ପିନ୍ଧାଇ ଅରୁଣ ଆଜି ବିଧବାରୁ ସଧବା କରିଛନ୍ତି ।
ସତରେ ଆଜିକାଲିର ଏ ଯୁବପିଢ଼ି ଅନେକ ସମୟରେ ପଥଭ୍ରଷ୍ଟ ହେଉଥିବାବେଳେ ନିଜ ବିଧବା ଭାଉଜଙ୍କୁ ପତ୍ନୀ ରୂପେ ଗ୍ରହଣ କରି ଅରୁଣ ସ୍ଥାନୀୟ ଅଞ୍ଚଳରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।