ସମ୍ବଲପୁର: ଫିଲ୍ମରେ ହିରୋ ହିରୋଇନଙ୍କୁ କିଛି ନିଆରା ଅନ୍ଦାଜାରେ ପ୍ରେମ ନିବେଦନ କରୁଥିବା ଦେଖିବାକୁ ମିଳେ । ଫିଲ୍ମର ହିରୋର ଷ୍ଟାଇଲ୍ ଫଲୋ କରି ରିୟଲରେ କିଛି ଯୁବକ ମଧ୍ୟ ସେଭଳି ପ୍ରେମ ନିବେଦନ କରୁଥିବେ । କିନ୍ତୁ ସମ୍ବଲପୁରରେ ଜଣେ ଯୁବକଙ୍କ ପ୍ରେମ ନିବେଦନର ଷ୍ଟାଇଲ ହୁଏତ ବଲିଉଡରେ କି ଟଲିଉଡରେ କେବେ ଦେଖିବାକୁ ମିଳିନଥିବ ।
ବନ୍ଧୁକ ମୁନରେ ପ୍ରେମ ନିବେଦନ କରି ଯୁବକ ହଟାହଟା ହୋଇଛନ୍ତି । ବନ୍ଧୁକ ଦେଖାଇ ଜଣେ କଲେଜ ଛାତ୍ରୀଙ୍କୁ ପ୍ରେମ ନିବେଦନ ପରେ ଛେଚା ଖାଇଲେ ଯୁବକ । ସ୍ଥାନୀୟ ବାସିନ୍ଦା ଉନ୍ମତକାଣ୍ଡ ଭିଆଉଥିବା ଯୁବକକୁ ନିର୍ଧୁମ ଛେଚିବା ପରେ ପୋଲିସରେ ଜିମା ଦେଇଛନ୍ତି ।
ସମ୍ବଲପୁର ଟାଉନଥାନା ପୋଲିସ ଯୁବକକୁ ଅଟକ ରଖିଛି । ଯୁବକ ଜଣକ କେନ୍ଦ୍ରାପଡାର ବୋଲି ପ୍ରାଥମିକ ତଦନ୍ତରୁ ବୋଲି ଜଣାପଡିଛି । ସୂଚନା ଅନୁସାରେ ଆଜି ଦିନ ୧୨ଟାରେ ସମ୍ପୃକ୍ତ ଯୁବକ ଜଣକ ସମ୍ବଲପୁରର ଏକ କଲେଜ ପରିସରରକୁ ଯାଇ ଛାତ୍ରୀଜଣଙ୍କୁ ପ୍ରେମ ନିବେଦନ କରିବା ପାଇଁ ଖେଳଣା ବନ୍ଧୁକ ବାହାର କରି ଡରାଇବାକୁ ଉଦ୍ୟମ କରିଥିଲା ।
ଏହା ଦେଖି ସ୍ଥାନୀୟ ଲୋକେ ଯୁବକକୁ ଉତ୍ତମ ମଧ୍ୟମ ଦେବା ସହ ପୋଲିସକୁ ଜିମା ଦେଇଛନ୍ତି । ପୋଲିସ ଯୁବକଠାରୁ ଏକ ଖେଳଣା ବନ୍ଧୁକ ଜବତ କରିଛି । ତେଵେ ଏନେଇ ଟାଉନ ଥାନାରେ ଛାତ୍ରୀ ପକ୍ଷରୁ କୌଣସି ମାମଲା ରୁଜୁ କରାଯାଇ ନାହିଁ ବୋଲି ସୂଚନା ମିଲିଛି ।
