ଅର୍ଗସ ବ୍ୟୁରୋ: ନୂଆ ସଂସଦ ଭବନକୁ ମହିଳା, ଅନୁସୂଚିତ ଜନଜାତି ନେତା ଓ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନକୁ ଦର୍ଶାଉଥିବା କଳାକୃତି ଗୁଡିକୁ ଦର୍ଶାଯିବ । କେବଳ ସେତିକି ନୁହେଁ, ପୂର୍ବରୁ ଦେଶରୁ ଚୋରି ହୋଇ ବିଦେଶକୁ ଯାଇଥିବା ଓ ପରେ ଭାରତ ଆସିଥିବା 14ଟି ମୂର୍ତ୍ତିକୁ ସଂସଦ ଭବନ ପରିସରରେ ବିଶିଷ୍ଟ ସ୍ଥାନରେ ପ୍ରଦର୍ଶିତ କରାଯିବ । ଗ୍ୟାଲେରୀରେ ଏକ ଡିଜିଟାଲ ପ୍ରାଚୀର ମଧ୍ୟ ରହିବ ଯେଉଁଥିରେ ଲୋକସ ଭାର ସ୍ଥାପନା ପର ଠାରୁ ସଂସଦ ସଦସ୍ୟ ମାନଙ୍କର ସମ୍ପର୍କରେ ବିବରଣୀ ରହିବ ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ସଂସଦର ନୂଆ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ 28 ତାରିଖ ଦିନ ଦେଶକୁ ସମର୍ପିତ କରିଥିଲେ । ନୂଆ ସଂସଦ ଭବନରେ ଭାରତର ସଂସ୍କୃତି ଓ ଐତିହ୍ୟର ଝଲକ ମିଳିବ ବୋଲି ସେତେବେଳେ କୁହାଯାଇଥିଲା । ଏହି କ୍ରମରେ ସଂସଦକୁ ସଜ୍ଜିତ କରିବାର ଦ୍ୱିତୀୟ ପର୍ଯ୍ୟାୟରେ ଏହି କଳାକୃତି ଗୁଡିକୁ ତିଆରି କରାଯାଉଛି । ଏହି କାମ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ସଂସ୍କୃତି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟ ଏକ ମହତ୍ୱାକାଂକ୍ଷୀ ଅବଧାରଣା । ସେ କହିଛନ୍ତି ଯେ ପ୍ରାକ ଐତିହାସିକ କାଳରୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମ ଓ ଦେଶର 75 ପଥ ପ୍ରଦର୍ଶକ ମହିଳା ମାନଙ୍କୁ ଦର୍ଶାଯାଉଛି । ଏକ ଗ୍ୟାଲେରୀ ଦେଶ ପାଇଁ ମହାନ କାମ କରିଥିବା ଅନୁସୂଚିତ ଜନଜାତି ବର୍ଗର ନେତା ମାନଙ୍କ ପାଇଁ ସମର୍ପିତ ହେବ ।
ସେ ଆହୁରି କହିଛନ୍ତି ଯେ ଆମ ନିକଟରେ ଭାରତର ସମୃଦ୍ଧ ପରମ୍ପରା, ପ୍ରକୃତି ଜ୍ଞାନ ଓ ଖେଳକୁ ପ୍ରଦର୍ଶିତ କରୁଥିବା ଏକ ଗ୍ୟାଲେରୀ ମଧ୍ୟ ରହିବ । ଥରେ ସଂସଦକୁ ସୁସଜିତ କରିବାର ବର୍ତ୍ତମାନ କାମ ଶେଷ ହୋଇ ସାରିବା ପରେ ଦ୍ୱିତୀୟ ପର୍ଯ୍ୟାୟ କାମ ଆରମ୍ଭ ହେବ । ଏଥି ନିମନ୍ତେ କନସେପ୍ଟ ତିଆରି ହୋଇ ସରିଛି । କେବଳ ସେତିକି ନୁହେଁ କଳାକାର ମାନଙ୍କର ମଧ୍ୟ ଚୟନ କରାଯାଇ ସରିଛି ବୋଲି ସେ ସୂଚନା ଦେଇଛନ୍ତି ।
ଭାରତରୁ ଚୋରି ହୋଇ ବିଦେଶକୁ ଚାଲିଯାଇଥିବା ଓ ପରେ ପୁଣି ସ୍ୱଦେଶ ଫେରିଥିବା ପ୍ରସିଦ୍ଧ 14ଟି ମୂର୍ତ୍ତିକୁ ମଧ୍ୟ ସଂସଦର ବିଶିଷ୍ଟ ସ୍ଥାନରେ ରଖାଯିବ । ଏହି ମୂର୍ତ୍ତି ଗୁଡିକ ଅତ୍ୟନ୍ତ ପ୍ରାଚୀନ ଓ ଏଗୁଡିକୁ ତସ୍କରୀ କରି ବିଦେଶରେ ବିକ୍ରୀ କରି ଦିଆଯାଇଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସ କ୍ରମେ ଏହି 14ଟି ମୂର୍ତ୍ତିକୁ ପୁଣି ଥରେ ସ୍ୱଦେଶ ଫେରାଇ ଅଣା ଯାଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର