
ଭୁବନେଶ୍ୱର: କରୋନା ଆତଙ୍କ ଏବେ ସାରା ବିଶ୍ୱକୁ ଗ୍ରାସିଛି। କରୋନା ଆକ୍ରାନ୍ତ କାରଣରୁ ତ’ ଯାହା ମୃତ୍ୟୁ ଘଟୁଛି। ଏହାସହ କରୋନା ଆତଙ୍କ ପାଇଁ ଲକ୍ ଡାଉନ୍ ଘୋଷଣା କାରଣରୁ ଜୀବିକା ହରାଇ ବା ଅନ୍ୟାନ୍ୟ ଟେନ୍ସନ୍ କାରଣରୁ ମାନସିକ ଭାରସାମ୍ୟ ହରାଇ କେତେଜଣ ଆତ୍ମହତ୍ୟା କରୁଥିବା ଭଳି ଖବର ଆସୁଛି। ସେହିପରି କରୋନା ଜନିତ ମୃତ୍ୟୁ କାରଣରୁ କାହାର ଆତ୍ମୀୟ ସ୍ୱଜନ ମଧ୍ୟ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହା ଅତ୍ୟନ୍ତ ଚିନ୍ତାଜନକ।
ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ। ଧର୍ଯ୍ୟ ଧରନ୍ତୁ, କରୋନା ବିପତ୍ତି ବିରୋଧରେ ସଙ୍ଘର୍ଷ କରନ୍ତୁ। ସୋସିଆଲ୍ ମିଡିଆ ମାଧ୍ୟମରେ ଏହିପରି କିଛି ଭିଡିଓ ବାର୍ତ୍ତା ଦେଇଛନ୍ତି ଓଡ଼ିଶା ବିଜେପିର ବରିଷ୍ଠ ନେତ୍ରୀ ପ୍ରଭାତୀ ପରିଡ଼ା। ଏହା ସହ କ୍ୟାପ୍ସନରେ ପ୍ରଭାତୀ ଲେଖିଛନ୍ତି, “ସମସ୍ୟା ଅନେକ ଥାଇପାରେ, କିନ୍ତୁ ସମସ୍ୟା ଜୀବନଠାରୁ କେବେ ବଡ଼ ନୁହେଁ। ଜୀବନ ଥିଲେ ଜୀବିକା ଆସିବ। ଏମିତି କେଉଁ ପରିବାର ଅଛି ଯାହା ଘରେ ଝଗଡା ନାହିଁ? ଆତ୍ମହତ୍ୟା ନୁହେଁ, ସଂଘର୍ଷ କରି ବଞ୍ଚିବା। ଖରାପ ସମୟ ବୋଝ ଭଳି ଲାଗେ କିନ୍ତୁ ବେଶୀ ଦିନ ରହେ ନାହିଁ। ଭଲ ସମୟ ନିଶ୍ଚୟ ଆସିବ ଧର୍ଯ୍ୟ ସହ ଅପେକ୍ଷା କରିବାକୁ ପଡ଼ିବ। ଶପଥ ନେଇ ବଞ୍ଚିବା। ତାହାହେଲେ ସମସ୍ୟା ହାରିବ, ଆମେ ଜିତିବା” ।

