ଅର୍ଗସ ବ୍ୟୁରୋ: ପଶ୍ଚିମବଙ୍ଗରେ ବିଧାନସଭା ସାଧାରଣ ନିର୍ବାଚନ ଖୁବ୍ ଶୀଘ୍ର ଅନୁଷ୍ଠିତ ହେବାକୁ ଯାଉଛି । ମମତାଙ୍କ ନେତୃତ୍ୱାଧିନ ତୃଣମୂଳ କଂଗ୍ରେସର କୁଶାସନ ବିରୋଧରେ ବିଜେପି ରଣହୁଙ୍କାର ଦେଇଛି। ରାଜ୍ୟର ଭୋଟରମାନେ ବିଜେପି ଉପରେ ସମ୍ପୂର୍ଣ୍ଣ ଭରସା କରି ଦଳକୁ ଶାସନ କ୍ଷମତାକୁ ଆଣିବେ । ଫଳରେ କେନ୍ଦ୍ର ଓ ରାଜ୍ୟେରେ ଡବଲ ଇଂଜିନ୍ ସରକାର ଚାଲିବ ବୋଲି ଗତ ଡିସେମ୍ଭରରେ ମମତାଙ୍କ ହାତ ଛାଡ଼ି ବିଜେପିରେ ଯୋଗ ଦେଇଥିବା ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ।
ତୃଣମୂଳ କଂଗ୍ରେସ ଯାହା କଲେ ବି ଭୋଟରମାନେ ଡବଲ ଇଂଜିନ୍ ସରକାରକୁ ଆଣିବା ପାଇଁ ନିଷ୍ପତି ନେଇ ସାରିଛନ୍ତି । ବିଜେପି ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିବ । ପୂର୍ବରୁ ନରେନ୍ଦ୍ର ମୋଦି ଏବଂ ଅମିତ ଶାହା ୨୦୧୯ ମେଁ ହାଫ୍, ୨୦୨୧ ମେଁ ସାଫ୍ ବୋଲି ଯେଉଁ ସ୍ଲୋଗାନ୍ ଦେଇଥିଲେ ତାହା ସଫଳ ହେବ ବୋଲି ଶୁଭେନ୍ଦୁ ଜୋର ଦେଇ କହିଛନ୍ତି ।
୨୦୧୯ ଲୋକସଭା ସାଧାରଣ ନିର୍ବାଚନରେ ରାଜ୍ୟର ମୋଟ ୪୨ ଟି ଆସନ ମଧ୍ୟରୁ ବିଜେପି ପାଖାପାଖି ଅଧା ଆସନରେ ବିଜୟ ଲାଭ କରିଥିଲା । ଏହା ପୂର୍ବରୁ ବିଜେପିକୁ ସେପରି କୌଣସି ଆଖିଦୃଶିଆ ସଫଳତା ମିଳିନଥିବା ବେଳେ ୨୦୧୯ର ଫଳାଫଳ ସମସ୍ତଙ୍କୁ ଚକିତ କରି ଦେଇଥିଲା । ୨୦୧୯ ଅପେକ୍ଷା ୨୦୨୧ ରେ ବିଜେପି ପଶ୍ଚିମବଙ୍ଗରେ ଆହୁରି ଭଲ ସ୍ଥିତିରେ ରହିଥିବାରୁ ଲୋକସଭା ନିର୍ବାଚନରେ ମିଳିଥିବା ଅଧା ସଫଳତା ବିଧାନସଭା ନିର୍ବାଚନରେ ପୁର୍ଣ୍ଣ ସଫଳତାକୁ ରୂପାନ୍ତରିତ ହେବ ବୋଲି କୁହାଯାଉଛି । କାରଣ ଏହାମଧ୍ୟରେ କେବଳ ଶୁଭେନ୍ଦୁ ଅଧିକାରୀ ନୁହଁନ୍ତି ତାଙ୍କ ଭଳି ଆହୁରି ଅନେକ ବରିଷ୍ଠ ଟିଏମସି ନେତା ଦଳ ଓ ମମତାଙ୍କୁ ଛାଡ଼ି ବିଜେପିରେ ଯୋଗ ଦେଇ ସାରିଛନ୍ତି । ନିକଟରେ ଟିଏମସିର ରାଜ୍ୟସଭା ସାଂସଦ ଦିନେଶ ତ୍ରିବେଦୀ ନିଜ ପଦରୁ ଇସ୍ଥଫା ଦେଇଛନ୍ତି । ଖୁବ ଶଘ୍ର ସେ ବିଜେପିରେ ଯୋଗ ଦେବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ନିର୍ବାଚନ ପୂର୍ବରୁ ମମତାଙ୍କ ଆହୁରି ଅନେକ ସହଯୋଗୀ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି।