ଭୁବନେଶ୍ଵର: ଓଡ଼ିଶାର ୩୮-ବାଲେଶ୍ୱର ଓ ୧୦୨-ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜିଠାରୁ ନାମାଙ୍କନ ପତ୍ର ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଉପନିର୍ବାଚନ ସୂଚୀ ଅନୁସାରେ ଅକ୍ଟୋବର ୯ ତାରିଖ ନାମାଙ୍କନ ପତ୍ର ଦାଖଲ, ୧୬ ତାରିଖ ନାମାଙ୍କନ ପତ୍ର ଦାଖଲ ଶେଷ, ଅକ୍ଟୋବର ୧୭ ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ, ଅକେଫାବର ୧୯ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ,ନଭେମ୍ବର ୩ ତାରିଖ ଭୋଟ ଗ୍ରହଣ ଦିବସ, ନଭେମ୍ବର ୧୦ ତାରିଖ ଭୋଟଗଣତି ଏବଂ ନଭେମ୍ବର ୧୨ ତାରିଖ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ଜଣାପଡ଼ିଛି । କୋଭିଡ୍-୧୯ ମହାମାରୀ ସମୟରେ ନିର୍ବାଚନ ପରିଚାଳନା କରିବା ଆମ ପାଇଁ ଏକ ଆହ୍ୱାନ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀଲୋହାନୀ ପ୍ରକାଶ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ସମୟରେ ପ୍ରାର୍ଥୀଙ୍କ ସହ ସର୍ବାଧିକ ଦୁଇଜଣ ବ୍ୟକ୍ତି ଯାଇପାରିବେ ଏବଂ ଦୁଇଗୋଟି ଗାଡ଼ି ବ୍ୟବହାର କରିପାରିବେ । ଜିଲ୍ଲାନିର୍ବାଚନ ଅଧିକାରୀଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ଏକ ବଡ଼ ହଲ୍ରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରକ୍ଷାକରି ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ ।
୮୦ ବର୍ଷରୁ ଊଦ୍ଧ୍ୱର୍ ଭୋଟର, କୋଭିଡ୍ ଆକ୍ରାନ୍ତ ଏବଂ ସନ୍ଧିଗ୍ଧ କୋଭିଡ୍ ଭୋଟରମାନେ ଚାହିଁଲେ ପୋଷ୍ଟାଲ୍ ବାଲାଟ୍ ମାଧ୍ୟମରେ ଭୋଟ ଦେଇପାରିବେ । ଏଥି ନିମନ୍ତେ ନାମାଙ୍କନପତ୍ର ଦାଖଲ ଦିନଠାରୁ ଅକ୍ଟୋବର ୧୪ତାରିଖ ମଧ୍ୟରେ ସେମାନେ ଫର୍ମ-୧୨(ଘ) ମାଧ୍ୟମରେ ନିର୍ବାଚନ ଅଧିକାରୀଙ୍କୁ ଆବେଦନ କରିପାରିବେ । ଏହାପରେ ପୋଷ୍ଟାଲ ବାଲାଟ ଭୋଟରମାନଙ୍କର ଏକ ତାଲିକା ପ୍ରସ୍ତୁତ ହେବ । ଅକ୍ଟୋବର ୨୦ ତାରିଖ ପରେ ପୋଲିଙ୍ଗ୍ ଅଧିକାରୀମାନେ ପୋଷ୍ଟାଲ୍ ବାଲାଟ୍ ନେଇ ଘରକୁ ଘର ବୁଲି ପୂର୍ଣ୍ଣ ଗୋପନୀୟତା ରକ୍ଷା କରି ମୁଦା ଲଫାପା ଦ୍ୱାରା ପୋଷ୍ଟାଲ ବାଲାଟ ଭୋଟ ସଂଗ୍ରହ କରିବେ । ଏହି ପ୍ରକ୍ରିୟା ନିର୍ଦ୍ଧାରିତ ଭୋଟ ଗ୍ରହଣର ଦିନକ ପୂର୍ବରୁ ସରିବ। ରାଜନୈତିକ ଦଳମାନେ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କଲାବେଳେ ପ୍ରାର୍ଥୀଙ୍କ ସହ ସୁରକ୍ଷା କର୍ମୀଙ୍କୁ ଛାଡ଼ି ସର୍ବାଧିକ ପାଞ୍ଚ ଜଣ ବ୍ୟକ୍ତି ମାସ୍କ ପିନ୍ଧି ଓ ସାମାଜିକ ଦୂରତ୍ୱ ରକ୍ଷାକରି ଯାଇପାରିବେ ।
କୋଭିଡ୍-୧୯ ପରିପ୍ରେକ୍ଷୀରେ ନିର୍ବାଚନୀ ସଭା ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଏକ ନିର୍ବିବାଦୀୟ ପ୍ରସସ୍ଥ ଏବଂ ବଡ଼ ସ୍ଥାନ ନିରୂପଣ କରାଯାଇ ସେଠାରେ ସର୍ବାଧିକ ୧୦୦ ଜଣ ଲୋକଙ୍କୁ ନେଇ ସାମାଜିକ ଦୂରତ୍ୱ ସହ ନିର୍ବାଚନୀ ସଭା କରାଯିବ । କୋଭିଡ୍ ଦୃଷ୍ଟିରୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ପ୍ରତି ବୁଥ୍ରେ ସର୍ବାଧିକ ୧୦୦୦ ଭୋଟର ଭୋଟ ଦେଇପାରିବେ । ଫଳରେ ବୁଥ୍ ସଂଖ୍ୟା ବୃଦ୍ଧି ପାଇବା ସହ ଶୀଘ୍ର ମତଦାନ ସରିବ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ କାର୍ଯ୍ୟ ଚାଲୁରହିବ ।
ଭୋଟ ଗ୍ରହଣବେଳେ ସମସ୍ତଭୋଟର ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଓ ପ୍ରଶାସନ ତରଫରୁ ଭୋଟ ଗ୍ରହଣ ନିମନ୍ତେ ସବୁ ଭୋଟରଙ୍କୁ ଗ୍ଲୋବସ୍ ଯୋଗାଇ ଦିଆଯିବ । ଭୋଟ ଗ୍ରହଣ ସମୟରେ କୌଣସି ବ୍ୟକ୍ତିଙ୍କଠାରେ ଯଦି କୋଭିଡ୍ ଲକ୍ଷଣ ପ୍ରକାଶ ପାଏ, ତା’ହେଲେ ସଂପୃକ୍ତ ଭୋଟରଙ୍କୁ ଭୋଟ ଗ୍ରହଣର ଶେଷ ପର୍ଯ୍ୟାୟରେ ମତଦାନ କରିବାକୁ ସୁଯୋଗ ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି ।