ଅର୍ଗସ ବ୍ୟୁରୋ : ବିଜେପି ନେତା ତଥା ମାହାଙ୍ଗାର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାକୁ ନିନ୍ଦା କଲେ ବୈଜୟନ୍ତ ପଣ୍ଡାଙ୍କ ସମେତ ଅନ୍ୟ ବରିଷ୍ଠ ବିଜେପି ନେତା। ସେପଟେ ଏହା ଏକ ରାଜନୈତିକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛି ବିଜେପି। ଏନେଇ ବୈଜୟନ୍ତ କହିଛନ୍ତି ଯେ, କୁଳମଣିଙ୍କ ହତ୍ୟା ଘଟଣାକୁ ନେଇ ସେ ଅତ୍ୟନ୍ତ ମର୍ମାହତ। ତାଙ୍କ ପରିବାରକୁ ଭଗବାନ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ ବୋଲି କାମନା କରିଛନ୍ତି। ଏହା ସହ ହତ୍ୟା ଘଟଣାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବୈଜୟନ୍ତ।
ସେହିପରି ଏହି ହତ୍ୟା ଘଟଣାକୁ ଦୃଢ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ, ସାମାଜିକ ଜୀବନରେ ମତ ପାର୍ଥକ୍ୟ ରହିପାରେ। ମାତ୍ର କାହାର ହତ୍ୟା ଦୁଃଖଦ ଘଟଣା। ପ୍ରଶାସନ ପକ୍ଷରୁ ଏନେଇ ସେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅପର ପକ୍ଷରେ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା କୁଳମଣିଙ୍କ ହତ୍ୟାକାଣ୍ଡକୁ ନେଇ ଶାସକ ଦଳକୁ ଦାୟୀ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଏହି ହତ୍ୟାକାଣ୍ଡରେ ଶାସକ ଦଳର ସ୍ଥାନୀୟ ନେତାଙ୍କ ସଂପୃକ୍ତି ରହିଛି।
ଏତଦ୍ ବ୍ୟତୀତ ଏହି ହତ୍ୟା ଘଟଣାରେ ମର୍ମାହତ ବୋଲି କହିଛନ୍ତି ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର। ସେ କହିଛନ୍ତି ଯେ, ରାଜ୍ୟରେ ରାଜନୈତିକ ଅସହିଷ୍ଣୁତା ବଢି ଚାଲିଛି। ସତ୍ୟକୁ ଚାପି ଦିଆଯାଉଛି। ଏଠାରେ ବେଙ୍ଗଲ ମଡେଲ ପ୍ରତିଫଳିତ ହେଉଛି।