ଭୁବନେଶ୍ୱର: କାଳିଆ କିସ୍ତି ଟଙ୍କା ପ୍ରଦାନ ନେଇ ରାଜ୍ୟ ସରକାର ଘୋଷଣା କରିଥିବାବେଳେ ବିଜେପି ପକ୍ଷରୁ କିନ୍ତୁ ଏହାକୁ ସମାଲୋଚନା କରାଯାଇଛି । ବିଜେପି ନେତା ଗୋଲକ ମହାପାତ୍ର ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।
ସେ କହିଛନ୍ତି ଯେ, ରାଜ୍ୟ ସାରା ବ୍ୟାପିଥିବା ଚାଷୀ ଅସନ୍ତୋଷକୁ ଚାପିବାକୁ ଏହା ରାଜ୍ୟ ସରକାରଙ୍କ ଏକ ଚାଲ । ମଣ୍ଡିରୁ ଧାନ ଉଠୁନି । ମଣ୍ଡିରେ ଓ ରାସ୍ତାରେ ଧାନ ରଖି ଚାଷୀ ବସିଛନ୍ତି । ରାଜ୍ୟ ତମାମ ଚାଷୀମାନେ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଘେରିଲେଣି ।
ଚାଷୀ ଆନ୍ଦୋଳନକୁ ପ୍ରଶମିତ କରିବାକୁ ରାଜ୍ୟ ସରକାରଙ୍କ ଏହା ହେଉଛି ଏକ ହୀନ ପ୍ରୟାସ । ରାଜ୍ୟ ପାଖରେ ଯଦି ୫୩ ଲକ୍ଷ ଚାଷୀଙ୍କ ତାଲିକା ଅଛି ତେବେ କେନ୍ଦ୍ରକୁ କାହିଁକି ଦେଉନାହିଁ ବୋଲି ମହାପାତ୍ର କହିଛନ୍ତି । ପିଏମ କିଶାନ ଯୋଜନାରେ ମାତ୍ର ୯ଲକ୍ଷ ଚାଷୀଙ୍କ ତାଲିକା ଦିଆଯାଇଛି ।
କେନ୍ଦ୍ର ସହାୟତାରୁ କାହିଁକି ରାଜ୍ୟ ଚାଷୀମାନଙ୍କୁ ବଞ୍ଚିତ କରାଯାଉଛି । ଅନେକ ଅଯୋଗ୍ୟଙ୍କୁ ତାଲିକାଭୁକ୍ତ କରି ସେମାନଙ୍କୁ କାଳିଆ କିସ୍ତି ଦିଆଯାଇଥିଲା । ପ୍ରଦତଃ ସେହି ୧୭୦ କୋଟି ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ଆଦାୟ ହେଲାଣି କି ବୋଲି ବିଜେପି ନେତା ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି ।