ସୁନ୍ଦରଗଡ: ଆଜି ରାଉରକେଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ପ୍ରାୟ 5 ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ ସହ ନୂଆ ପ୍ରକଳ୍ପ ପାଇଁ ଭିଭିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଯେଉଁଥିରେ ରହିଛି ବିପିୟୁଟି ପରିସରରେ ୧୫ ଏକର ଜାଗାରେ ୨୦ ହଜାର ଲୋକ ବସିବା ଭଳି ନିର୍ମାଣ ହେବାକୁ ଥିବା ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ସହ ୩,୯୫୮ କୋଟି ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ।
ଏହା ସହ ୮୩୪ କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ । ତେବେ ଭିତ୍ତିପ୍ରସ୍ତର ଓ ଲୋକାର୍ପଣ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି କ୍ରୀଡାର ବିକାଶ ଲାଗି ସୁନ୍ଦରଗଡ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ହକି ଷ୍ଟାଡିୟମ ନିର୍ମାଣ । କୃଷି କ୍ଷେତ୍ର ଲାଗି ୩୫୨ କୋଟି ଟଙ୍କାରେ ୧୧ଟି ବୃହତ ଉଠା ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ ।
ପାନୀୟ ଜଳର ସୁବିଧା ପାଇଁ ୧୨ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ୧,୫୯୯ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ । ଶିକ୍ଷା କ୍ଷେତ୍ର ପାଇଁ ୧୦ଟି କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ଏବଂ ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ ୧୭ଟି ଛାତ୍ର ନିବାସ ଓ ୧୬ଟି ଛାତ୍ରୀ ନିବାସର ଶିଳାନ୍ୟାସ କାର୍ଯ୍ୟକ୍ରମ । ରାଉରକେଲାର ୯ଟି ସ୍ଥାନ ସମେତ ସୁନ୍ଦରଗଡ଼ ଜିଲାର ୧୨୦ଟି ସ୍ଥାନରେ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯିବ ।