ପୁରୀ: ପୁରୀର ନାଗା ସାଧୁ ବୈଷ୍ଣବ ପୁରୀଙ୍କୁ ନେଇ ପୁଣି ଚର୍ଚ୍ଚା । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ଚିଠି ନାଗାବାବା ଚୌଦ୍ବାର ଥାନାରୁ ଲେଖିଥିବା କୁହାଯାଉଛି । ଚିଠିରେ ଉଲ୍ଲେଖ ରହିଛି ରାଜନୈତିକ ଷଡଯନ୍ତ୍ର କରାଯାଇ ତାଙ୍କୁ ପାଗଳ କରିବା ପାଇଁ ଉଦ୍ୟମ ହେଉଛି । ଯାହାକୁ ନେଇ ବିରୋଧ ବଢିବାରେ ଲାଗିଛି । ନାଗାବାବାଙ୍କୁ ନ୍ୟାୟ ପାଇଁ ସୋସିଆଲ୍ ମିଡିଆରେ ବି କ୍ୟାମ୍ପେନ୍ ଆରମ୍ଭ ହୋଇଛି ।
ପୁରୀର ବହୁଚର୍ଚ୍ଚିତ ନାଗା ସାଧୁ ବୈଷ୍ଣବ ପୁରୀ ଏବେ ଚୌଦ୍ବାର ଜେଲ୍ରେ । ଭକ୍ତଙ୍କ ଦର୍ଶନ ପାଇଁ ରୋହିଣୀ କୁଣ୍ଡର ପଟ୍ଟା ଖୋଲିଦେଇଥିବାରୁ ତାଙ୍କୁ ମାଡ଼ ମରାଯିବା ସହ ଜେଲ୍ରେ ପୁରାଇ ଦେଇଥିଲା ପୋଲିସ । ଏହାପରେ ବୈଷ୍ଣବ ପୁରୀଙ୍କୁ ପଠାଇ ଦିଆଗଲା ଚୌଦ୍ବାର ଜେଲ୍ ।
ୟୁପି ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଇଥିବାର ଆକ୍ରୋଶର ଶିକାର ହେଲେ କି ନାଗା ବାବା । ରଥଯାତ୍ରା ବନ୍ଦ ବେଳେ ସ୍ବର ଉଠାଇଥିଲେ ବୈଷ୍ଠବ ପୁରୀ, ମନ୍ଦିର ପ୍ରଶାସନ ଓ ସରକାରଙ୍କୁ କରିଥିଲେ କଡା ସମାଲୋଚନା, କୋରୋନା ସମୟରେ ମନ୍ଦିର ଖୋଲିବା ପାଇଁ କରିଥିଲେ ଦାବି, ନାଗାବାବାଙ୍କୁ ପାଗଳ ସଜାଇବା ପାଇଁ କିଏ କରୁଛି ଷଡଯନ୍ତ୍ର?
ଭକ୍ତଙ୍କ ପାଇଁ ରୋହିଣୀ କୁଣ୍ଡର ପଟା ଖୋଲିବା କଣ ଏତେ ବଡ଼ ଅପରାଧ, କଣ ଏମିତି କୋଭିଡ୍ ଗାଇଡଲାଇନ୍ ଭାଙ୍ଗିଲେ ଯେ ଏତେ ଦଫା, ନା ଜାଣିଶୁଣି ବାବାଙ୍କୁ ଫସାଇବା ପାଇଁ ଇଏ ବଡ଼ ଷଡଯନ୍ତ୍ର । ଏନେଇ ପୁରୀରେ ବି ପ୍ରତିକ୍ରିୟା ପ୍ରକାଶ ପାଇଛି ।