ଖୁବଶ୍ରୀଘ୍ର ୟୁ ଟର୍ଣ୍ଣ ନେଇପାରେ ଗଞ୍ଜାମ ପଲିଟିକ୍ସ । ମୁଖ୍ୟମନ୍ତ୍ରୀଙ୍କ ବ୍ଲୁ ୟାର୍ଡ ବୟ କୁହାଯାଉଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କାର ଶାସକ ଦଳ ଲାଗି ସୃଷ୍ଟି କରିଛି ବଡ ଚ୍ୟାଲେଞ୍ଜ । ପ୍ରଦୀପଙ୍କ ଜାଗା ନେବାକୁ ଗଞ୍ଜାମର ଛାମୁଆ ନେତାଙ୍କ ଭିତରେ ଏବେଠୁ ଚାଲିଲାଣି ଜୋରଦାର ଛକାପଞ୍ଝା । ପ୍ରଦୀପଙ୍କ ସ୍ଥାନକୁ ପୂରଣ କରିବା ଓ ଦଳର ସଙ୍ଗଠନକୁ ପୁଣି ଥରେ ବଜାୟ ରଖିବା ପାଇଁ ପାଓ୍ବାର କରିଡରରେ ଆରମ୍ଭ ହୋଇଛି ରାଜନୈତିକ ଗୋଟି ଚାଳନା । କାରଣ ଗଞ୍ଜାମର ରାଜନୈତକ ସିନାରିଓ କହୁଛି...ଜିଲ୍ଲାର 13 ନିର୍ବାଚନ ମଣ୍ଡଳୀ ମଧ୍ୟରୁ କେବଳ ସାନଖେମୁଣ୍ଡି ଆସନ କୁ ଛାଡି ବାକି 12 ଆସନ ରହିଛି ଶାସକ ଦଳ ପାଖରେ। ଯେଉଁଥିରେ 3 ଆସନରେ ରହିଛନ୍ତି ଦଳର ବରିଷ୍ଠ ତଥା ବିୟୋଜ୍ୟଷ୍ଠ ନେତା। ମାତ୍ର ଅନ୍ୟ ସବୁଠି ପ୍ରାୟତଃ ନୂଆ ନେତା। ତେବେ ଏପରି ସ୍ଥଳେ କାହାକୁ ଭରଷା କରିବେ ନବୀନ। ତେବେ ପ୍ରଦୀପଙ୍କ ସ୍ଥାନ ପୂରଣ ଲାଗି ପାର୍ଟି ସୁପ୍ରିମୋଙ୍କ ଆଗରେ ରହିଛି କି ଏହି ଚ୍ୟାଲେଞ୍ଜ...
ଚ୍ୟାଲେଞ୍ଜ –1
ଜିଲ୍ଲାର ତିନି ଅଭିଜ୍ଞ ନେତା ବିକ୍ରମ କେଶରୀ ଆରୁଖ, ସୂର୍ଯ୍ୟ ନାରାୟଣ ପାତ୍ର ଓ ଉଷା ଦେବୀଙ୍କ ମଧ୍ୟରୁ କାହାକୁ ଜଣଙ୍କୁ ଜିଲ୍ଲା ଦାୟୀତ୍ବ ଦେବା ସୁପ୍ରିମୋଙ୍କ ଲାଗି ହୋଇପାରେ କାଠିକର ବ୍ୟାପାର । ବିକ୍ରମ କେଶରୀ ଆରୁଖଙ୍କ ସଂସଦୀୟ କ୍ଷେତ୍ର ଅଲଗା ହୋଇଥିବା ବେଳେ ତାଙ୍କ ନେତୃତ୍ବକୁ ପୂର୍ବରୁ ହିଁ ଭରଷା କରିନାହାନ୍ତି ନବୀନ । ସେହିପରି ଉଷା ଦେବୀଙ୍କ ବୟସାଗତ କାରଣରୁ ସକ୍ରୀୟ ରାଜନୀତିରେ ଅଂଶଗ୍ରହଣ କରିପାରୁନଥିବା ବେଳେ ସୂର୍ଯ୍ୟ ପାତ୍ର ବର୍ତ୍ତମାନର ବାଚସ୍ପତି ରହିଛନ୍ତି ।
ଚ୍ୟାଲେଞ୍ଜ – 2
ବର୍ତ୍ତମାନର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକଙ୍କର ବି ବୟସାଗତ ସମସ୍ୟା ରହିଥିବା ବେଳେ ତାଙ୍କ ନେତୃତ୍ବକୁ ଭରଷା ନ କରି ପାରନ୍ତି ନବୀନ
ଚ୍ୟାଲେଞ୍ଜ – 3
ଜିଲ୍ଲାର ଅନ୍ୟ ନେତାମାନେ ପ୍ରାୟତଃ ଯୁବଗୋଷ୍ଠୀର ହୋଇଥିବାରୁ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ଜିଲ୍ଲା ଦାୟୀତ୍ବ ଦେଇ ରିକ୍ସ ନେବାକୁ ନ ଚାହିଁ ପାରନ୍ତି ନବୀନ
ଚ୍ୟାଲେଞ୍ଜ – 4
ବର୍ତ୍ତମାନର ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ ପଣ୍ଡାଙ୍କ ନେତୃତ୍ବକୁ ଦଳ ଯଦି ଭରଷା କରେ ତେବେ ହୁଏତ ଜିଲ୍ଲା ସଙ୍ଗଠନ ଏହାକୁ ସହଜେ ଗ୍ରହଣ ନ କରି ପାରନ୍ତି । ତେବେ ଏ ନେଇ ବର୍ତ୍ତମାନର ଜିଲ୍ଲା ସଭାପତିଙ୍କ କହିବା କଥା ଲୋକ ବିଜେଡିକୁ ପସନ୍ଦ କରନ୍ତି ଯାହାକୁ ବି ଦଳ ସୁପ୍ରିମୋ ବାଛିବେ ତାଙ୍କ ନେତୃତ୍ବରେ ଦଳ ଆହୁରି ଆଗକୁ ବଢିବ ।
ସେପଟେ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ଡାକିଥିବା ସର୍ବଦଳୀୟ ବୈଠକରେ ନବୀନ ପିନାକି ଓ ଭର୍ତୁହରିଙ୍କୁ ଡ୍ରପ କରି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଆଗକୁ ଆଣିବା ଗଂଞ୍ଜାମ ରାଜନୀତି ପାଇଁ ନୂଆ ସଂକେତ ଦେଇଥିବା ଚର୍ଚ୍ଚା ହେଉଛି । ମାତ୍ର ଗଞ୍ଜାମ ରାଜନୀତିର ଗୋଟିଚାଳନା କରୁଥିବା ପ୍ରଦୀପ ଦଳରୁ ହଟିବା ପରେ ଏହାର ସୁଯୋଗରେ ନିଜର ସ୍ଥିତି ମଜଭୁତ କରିବାକୁ ବି ଅଣ୍ଟା ଭିଡିଲେଣି ଉଭୟ ବିଜେପି କଂଗ୍ରେସ। ଯାହାକୁ ନେଇ ରାଜନୈତିକ ସମୀକ୍ଷକଙ୍କ ମତ ଗଞ୍ଜାମରେ ଆଗକୁ ବିଜେଡି ପାଇଁ ବଡ ଅଡୁଆ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ତେବେ ଦେଖିବାକୁ ବାକି ରହିଲା କିଏ ନେଉଛି ପ୍ରଦୀପଙ୍କ ଜାଗା ।