ଅର୍ଗସ ବ୍ୟୁରୋ: ପୂର୍ବତନ ବାଚସ୍ପତି ତଥା କ୍ୟାବିନେଟ ମନ୍ତ୍ରୀ ଶରତ କରଙ୍କୁ ଅନ୍ତିମ ସମ୍ମାନ ପ୍ରଦାନରେ ଅବହେଳା ମାମଲା । ହାଇ କୋର୍ଟରେ ଗୃହବିଭାଗର ମିଥ୍ୟା ସତ୍ୟପାଠ ଦାଖଲ । ମତଲୁବ, ମହାରଥୀ, ବିଷ୍ଣୁଙ୍କୁ ବି ଗାର୍ଡ ଅଫ ଅନର ଦିଆଯାଇ ନଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ସମସ୍ତଙ୍କ ସାମନାରେ ପୂର୍ବତନ ମନ୍ତ୍ରୀ ଶେଖ ମତଲୁବ୍ ଅଲ୍ଲୀ, ପ୍ରଦୀପ ମହାରଥୀ ଓ ବିଷ୍ଣୁ ଦାସଙ୍କ ଶେଷକୃତ୍ୟ ବେଳେ ପୋଲିସ କର୍ମଚାରୀ ଉପସ୍ଥିତ ରହି ଗାର୍ଡ ଅଫ୍ ଅନର୍ ପ୍ରଦାନ କରିଥିଲେ। ଏସବୁର ଦୃଶ୍ୟ ବି ରେକର୍ଡ ହୋଇରହିଛି ।
କିନ୍ତୁ ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ, ଏହି ତିନି ଦିବଂଗତ ନେତାଙ୍କୁ ସମ୍ମାନ ପ୍ରଦର୍ଶନ ପାଇଁ ଗୃହ ବିଭାଗ କୌଣସି ଅନୁରୋଧ ପାଇନଥିଲା କି ପୁଲିସ ସମ୍ମାନ ପ୍ରଦାନ ପାଇଁ କୌଣସି ନିର୍ଦ୍ଦେଶ ଦେଇ ନଥିଲା। ତେବେ କାହା ନିର୍ଦ୍ଦେଶରେ ପୋଲିସ କର୍ମଚାରୀ ସେଠାରେ ଦିବଂଗତ ନେତାମାନଙ୍କୁ ସମ୍ମାନ ପ୍ରଦାନ କଲେ? ପୋଲିସ ଗୃହ ବିଭାଗର ବିନା ନିର୍ଦ୍ଦେଶରେ ଏଭଳି କାର୍ଯ୍ୟ କରି ପାରୁଛି କି? ଯଦି କରି ପାରୁଛି ତେବେ ପୂର୍ବତନ ବାଚସ୍ପତି ଶରତ କରଙ୍କୁ ସମ୍ମାନ ପ୍ରଦାନରେ ପଛଘୁଞ୍ଚା ଦେଲା କାହିଁକି? ଶରତ କରଙ୍କୁ ଅନ୍ତିମ ସମ୍ମାନ ପ୍ରଦାନରେ ଅବହେଳା ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ଚାଲିଥିବାବେଳେ ଏବେ ସରକାରଙ୍କ ଏଭଳି ସତ୍ୟପାଠ ପ୍ରଶ୍ନବାଚୀ ସୃଷ୍ଠି କରିଛି ।