ଭୁବନେଶ୍ୱର : ବିଧାନସଭା ପରିସରରେ ଗାନ୍ଧୀ ମୂର୍ତ୍ତିତଳେ ବିଜେପି ବିଧାୟକଙ୍କ ଅହୋରାତ୍ର ଧାରଣା । ଗତକାଲିଠୁ ଧାରଣାରେ ବସି ରହିଛନ୍ତି ବିଧାୟକ । ବିରୋଧୀଙ୍କ ଅଭିଯୋଗ ଅନୁସାରେ, ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି ।
ବିରୋଧୀ ଦଳ ନେତାଙ୍କୁ ଗୃହରେ କହିବାକୁ ସୁଯୋଗ ମିଳୁନଥିବା ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ । ଗତକାଲି ଗୃହରେ ବାଚସ୍ପତିଙ୍କ ପୋଡିୟମକୁ ବିରୋଧୀ ଚପଲ ସହ ମାଇକ ଓ ପେପର ଫିଙ୍ଗିଥିବା ଅଭିଯୋଗ ହୋଇଥିଲା । ବିଧାନସଭାରେ ଏଭଳି ଅପ୍ରୀତିକର ପରିସ୍ଥିତି ପରେ ସସପେଣ୍ଡ ହୋଇଥିଲେ ବିଜେପିର ତିନି ବିଧାୟକ ।
ସେପଟେ ଟ୍ୱିଟ୍ କରି ବର୍ଷିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେ ଟ୍ୱିଟ କରିଛନ୍ତି, ବାଚସ୍ପତି ଗୃହ ପରିଚାଳନାରେ ସମ୍ପୂର୍ଣ୍ଣ ପକ୍ଷପାତିତା କରୁଛନ୍ତି । ବିଧାନସଭାରେ କୌଣସି ବିଲ ପାସ କରିବା ବେଳେ ବିରୋଧୀଙ୍କୁ କହିବାକୁ ଦିଆଯିବ ନାହିଁ ଏହା ବାଚସ୍ପତିଙ୍କର କିପରି ଭାବେ ନିରପେକ୍ଷତା ? ଗଣତନ୍ତ୍ରରେ ବିରୋଧୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆନଯିବା ଏକ ବିଲକ୍ଷଣ । ବାଚସ୍ପତି ଶାସକ ବିଜୁ ଜନତ ଦଳର କର୍ମୀ ଭଳି ଯଦି ଗୃହରେ ଆଚ୍ଚରଣ କରିବେ ତାହେଲେ ଆମର ବିରୋଧ ଜାରି ରହିବ । ବିଧାନସଭା ହେଉଛି ଗଣତନ୍ତ୍ରର ପବିତ୍ର ଗୃହ ।
ହେଲେ ବାଚସ୍ପତି ଯେଉଁଭଳି ଶାସକ ଦଳର କର୍ମୀ ଭଳି ଆଚ୍ଚରଣ କରୁଛନ୍ତି ଏହା ଗୃହର ପବିତ୍ରତାକୁ ନଷ୍ଟ କରୁଛି । ବାଚସ୍ପତି ସମ୍ବିଧାନର ନୀତି ନିୟମର ଉପରେ ନୁହଁନ୍ତି । ଆମକୁ କହିବାକୁ ଦିଆଗଲା ନାହିଁ, ସେଥିପାଇଁ ଆମେ ପ୍ରତିବାଦ କରିଲୁ ।
ଏହାପରେ ଆମର ବିଧାୟକ ମାନଙ୍କୁ ନିଲମ୍ବନ କରି ବାଚସ୍ପତି ଆମକୁ ଡରାଇବା ପାଇଁ ପ୍ରୟାସ କରିବେ, ଏହା ନିନ୍ଦନୀୟ । ସାରା ରାତି ଆମେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣ ଦେଇ ପ୍ରତିବାଦ କଲୁ । ଗୃହ ବାହାରେ ଆମର ପ୍ରତିବାଦ ଜାରି ରହିବ । ଆଜି ଦଳୀୟ କାର୍ଯ୍ୟାଳୟରେ ଆମେ ସାମ୍ବାଦିକ ସମ୍ମିଳନିରେ ଆମର କଥା ରଖିବୁ ବୋଲି କହିଛନ୍ତି ପ୍ରଦୀପ୍ତ ନାଏକ ।