ରାଜ୍ୟର ୬ ଜିଲ୍ଲାରେ ଉଦଘାଟିତ ହୋଇଛି ବିଜେପି କାର୍ଯ୍ୟାଳୟ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭିଡ଼ିଓ କନଫେରେନ୍ସିଂ ଜରିଆରେ ଏହି ଅଫିସ ଉଦଘାଟିତ କରିଛନ୍ତି । ରାଜ୍ୟର ସୁନ୍ଦରଗଡ଼, ବରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ବାରିପଦାରେ ବିଜେପିର ନୂଆ ଅଫିସ ହୋଇଛି । ସେହିପରି ଆଉ ୬ଟି ଜିଲ୍ଲାରେ ବି ବିଜେପି ଅଫିସ ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ କମ ସମୟ ମଧ୍ୟରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବିଜେପି କାର୍ଯ୍ୟାଳୟ ନିର୍ମାଣ କରାଯାଇଥିବାରୁ ନଡ୍ଡା ଧନ୍ୟବାଦ ଜଣାଇବା ସହ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ପ୍ରଶଂସା କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଉଦବୋଧନ ସମୟରେ ଜେ.ପି ନଡ୍ଡା କହିଛନ୍ତି, ଆଗାମୀ ବିଧାନସଭା ନିର୍ବାଚନରେ ରାଜ୍ୟ ସରକାର ଗଢିବ ବିଜେପି । ସେହିପରି ଓଡ଼ିଶାରେ କାହିଁକି ଆୟୁଷ୍ମାନ ଯୋଜନାର ଲାଗୁ କରାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି ପକ୍ଷରୁ ଦେଶର ସମସ୍ତ ଜିଲ୍ଲାରେ ଦଳୀୟ କାର୍ଯ୍ୟାଳୟ ଖୋଲିବା ପାଇଁ ଯୋଜନା କରାଯାଇଥିଲା । ସେହି କ୍ରମରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ବି କାର୍ଯ୍ୟାଳୟ ଖୋଲିବ । ଯେଉଁଠାରେ ସମସ୍ତ ପ୍ରକାର ସୁବିଧା ରହିବ ବୋଲି ଜେପି ନଡ୍ଡା କହିଛନ୍ତି ।