ଭୁବନେଶ୍ୱର: ପରୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧି ଦଳର ନେତା ପ୍ରଦିପ୍ତ କୁମାର ନାୟକ । ପରୀ ହତ୍ୟାକାଣ୍ଡ ମାମଲାରେ ସରକାର ହାଇକୋର୍ଟଙ୍କର ନାଁ କୁ ବ୍ୟବହାର କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିଛନ୍ତି ବୋଲି କହିଲେ ପ୍ରଦୀପ୍ତ ନାୟକ । ସେ ତାଙ୍କ ଟୁଇଟର ପେଜ୍ରେ ଉଲ୍ଲେଖ କରିଛନ୍ତି ଯେ, ଆମେ ପ୍ରଥମରୁ ପରୀ ହତ୍ୟାକାଣ୍ଡରେ ସରକାରଙ୍କର ମନ୍ଦ ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠାଇ ଆସିଛୁ । ସରକାରଙ୍କର ଏସଆଇଟି ତଦନ୍ତର ଉଦ୍ଦେଶ୍ୟ କଣ ଥିଲା ତାହା ଧୀରେ ଧୀରେ ସାମନାକୁ ଆସୁଛି ।
ବର୍ତ୍ତମାନ ହାଇକୋର୍ଟ ସ୍ପଷ୍ଟ କଲେ ଯେ ସରକାର ଏସଆଟି ତଦନ୍ତ ତଦାରଖ ନେଇ କୌଣସି ଚିଠି ଦେଇନାହାନ୍ତି । ତାହେଲେ ସରକାର କାହିଁକି ମିଛ କହୁଥିଲେ । ଯେଉଁ ଚିଠି କଥା କହି ସରକାରୀ ଦଳ ବାହାବା ନେଉଥିଲେ ସେ ଚିଠି ଗଲା କୁଆଡେ ?
ସେ ଆହୁରି ମଧ୍ୟ କହିଛନ୍ତି ପରୀ ହତ୍ୟାକାଣ୍ଡ ଦିନକୁ ଦିନ ବେଶୀ ଅଡ଼ୁଆ ଆଡ଼କୁ ଯାଉଛି । ପୁର୍ବରୁ କାହିଁକି ଏସଆଇଟି ଜଣେ ନାବାଳକ ପିଲାକୁ ଜୋର ଜବରଦସ୍ତି ସାବାଳକ ଦେଖାଇବା ପାଇଁ ପ୍ରୟାସ କରୁଥିଲେ, ଯାହାକୁ ପୋକ୍ସ କୋର୍ଟ ଖାରଜ କରିଥିଲେ ।
ଏସଆଇଟିର ଅସଲ ଉଦ୍ଦେଶ୍ୟ ଓ ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠୁଥିଲା । ବର୍ତ୍ତମାନ ହାଇକୋର୍ଟଙ୍କର ସ୍ପଷ୍ଟିକରଣ ପରେ ଏହାର ବୈଧତାକୁ ନେଇ ପ୍ରଶ୍ନବାଚୀ ଉଠିଲାଣି । ତେଣୁ ଘଟଣାର ସଠିକ ତଦନ୍ତ କରିବା ପାଇଁ ଏହି ମାମଲାକୁ ସିବିଆଇକୁ ଦିଆଯାଉ ବୋଲି କହିଛନ୍ତି ପ୍ରଦୀପ୍ତ କୁମାର ନାୟକ ।