ରାଜ୍ୟ ରାଜଧାନୀର ସଂଲଗ୍ନ ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀ ସଦାସର୍ବଦା ଚିର ଅବହେଳିତ ହୋଇ ରହିଯାଇଛି । ଏହି ଅଂଚଳକୁ ଭୟମୁକ୍ତ, ହିଂସାମୁକ୍ତ ଓ ବିକାଶଯୁକ୍ତ ଅଂଚଳ ଭାବେ ଗଢି ତୋଳିବା ପାଇଁ ବିଜେପି ପ୍ରତିଶୃତିବଦ୍ଧ । ‘ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ’କୁ ପାଥେୟ କରି ଭାରତୀୟ ଜନତା ପାର୍ଟୀ ଆଜି ଯେତେବେଳେ ଏହି ଅଂଚଳର ବିକାଶ କାର୍ଯ୍ୟକୁ ପ୍ରାଧାନ୍ୟ ଦେଉଛି, ସେତେବେଳେ ଶାସକ ବିଜେଡି ପ୍ରତିହିଂସା ପରାୟଣ ହୋଇ ବିରୋଧୀମାନଙ୍କୁ ଦମନ କରିବାର ଅପଚେଷ୍ଟା କରୁଛି । ପୁରୁଣା ଅଭ୍ୟାସ କାରଣରୁ ଶାସକ ବିଜେଡି ବିଜେପିର ରାଲି ଏବଂ କାର୍ଯ୍ୟକର୍ତାଙ୍କ ଉପରେ ଆକ୍ରୋଶମୁଳକ ଅକ୍ରମଣ କରୁଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଭୀରୁତାର ପରିଚୟ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଆଜି ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଇଗୁରୁପୁରଠାରେ ଅନୁଷ୍ଠିତ ଦଳୀୟ ପ୍ରଚାର ସମୟରେ ଯେଉଁ ଭଳି ଭାବରେ ବିଜେପି ସମର୍ଥକମାନଙ୍କୁ ଶାସକ ବିଜେଡି କର୍ମୀମାନେ ଅତର୍କିତ ଆକ୍ରମଣ କରି ଭୟଭୀତ କରିବାର ଅପଚେଷ୍ଟା କରିଥିଲେ, ତାହା ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଶାସକ ବିଜେଡି ଦ୍ୱାରା ଏହି ହିଂସାର ପ୍ରତିବାଦରେ ଦଳୀୟ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକଙ୍କ ସମେତ ଶତାଧିକ କାଯ୍ୟକର୍ତା ରାଇଗୁରୁପୁରଠାରେ ଧାରଣାରେ ବସି ରହିଥିଲେ । ଏହା ପରେ ପିପିଲି ଥାନା ପରିସରର ଭିତରେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବୀରେ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ଦଳୀୟ ନେତୃବୃନ୍ଦ ଏବଂ ସମର୍ଥକଙ୍କ ସହ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ । ଏହି ସମୟରେ ଶାସକ ବିଜେଡି କର୍ମୀମାନେ ପୁଣି ଥରେ ଥାନା ପରିସର ଭିତରକୁ ଆସି ଅଶାନ୍ତ ବାତାବରଣ ସୃଷ୍ଟି କରିଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଏସଡିପିଓ ପ୍ରମୁଖ ପିପିଲି ଥାନା ପରିସର ଭିତରେ ବିଜେପି ନେତୃବୃନ୍ଦ ଶ୍ରୀ ହରିଚନ୍ଦନ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ ।
ଆସନ୍ତା ୨୪ ଘଂଟା ମଧ୍ୟରେ ଦୋଷୀକୁ ଗିରଫ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରଶାସନ ପ୍ରତିଶୃତି ଦେଇଛନ୍ତି । ଏପରିକି ହିଂସାକାଣ୍ଡ ହୋଇଥିବା ଗ୍ରାମରେ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ପୋଲିସ ମୃତୟନ କରାଯିବ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି । ନଚେତ ପିପିଲି-ଡେଲାଙ୍ଗ ଅଂଚଳରେ ପୋଲିସ ପ୍ରଶାସନ ବିରୋଧରେ ବିଜେପି ତରଫରୁ ଆନ୍ଦୋଳନ କରାଯିବା ସହ ଘେରାଓ କରାଯିବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି ।