ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତରେ ଆଉ ଏକ ପାଦ ଆଗକୁ ବଢିଲା ଦେଶ । ଆଜି ଚେନ୍ନାଇ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନା ଉଦ୍ଦେଶ୍ୟରେ ଅର୍ଜୁନ ଟ୍ୟାଙ୍କ ଉତ୍ସର୍ଗ କରିଛନ୍ତି । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସୁରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନର ମୁଖ୍ୟ ସତୀଶ ରେଡ୍ଡୀ । ଚେନ୍ନାଇରେ ପହଞ୍ଚିବା ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ତାଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମେଟ୍ରୋ ଟ୍ରେନର ଶୁଭାରମ୍ଭ କରିଛନ୍ତି ।
ସେହିପରି ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ଗସ୍ତ କରିବେ । କେରଳର କୋଚିଠାରେ ବିପିସିଏଲର ପ୍ରପିଲିନ ଡେରାଇଭେଟିଭ ପେଟ୍ରୋ ରସାୟନ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ପ୍ରକଳ୍ପ ଆକ୍ରିଲେଟ, ଆକ୍ରିଲିକ ଏସିଡ ଓ ଅକ୍ସୋ-ଆଲକୋହଲ ଉତ୍ପାଦନ କରିବ। ଏହି ପଦାର୍ଥଗୁଡ଼ିକୁ ଭାରତ ବିଦେଶରୁ ଆମଦାନୀ କରୁଛି। ଏହି ପ୍ରକଳ୍ପ ଦ୍ୱାରା ବାର୍ଷିକ ୩ହଜାର ୭୦୦ରୁ ୪ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବୈଦେଶିକ ବିନିମୟ ମୁଦ୍ରା ସଞ୍ଚୟ ହୋଇପାରିବ। ଏହି ଅବସରରେ କେରଳ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ।