ଅର୍ଗସ ବ୍ୟୁରୋ: ବିଜେପି ଏମ୍ପି ମେନକା ଗାନ୍ଧିଙ୍କର ଏକ ଭିଡ଼ିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ଅନ୍ତର୍ଜାତୀୟ କୃଷ୍ଣ ଭାବନା ସଂଘ (ଇସ୍କନ)କୁ ଏକ ବଡ଼ ଠକ ଏବଂ ଏହା ନିଜ ଗୋଶାଳାରୁ କଂସେଇମାନଙ୍କୁ ଗାଈ ବିକ୍ରି କରୁଛି ବୋଲି କହୁଥିବା ଶୁଣିବାକୁ ମିଳୁଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାଣୀ ଅଧିକାର କାର୍ଯ୍ୟକର୍ତ୍ତା କହିଛନ୍ତି ଯେ, ଇସ୍କନ ଅନେକ ଗୋଶାଳା ପ୍ରତିଷ୍ଠା କରିଛି ଏବଂ ସେଥିପାଇଁ ବିପୁଳ ଜମି ଆକାରରେ ସରକାରଙ୍କଠାରୁ ଅନେକ ସୁବିଧା ପାଉଛି। କିନ୍ତୁ ଗାଈମାନଙ୍କର ଉପଯୁକ୍ତ ଯତ୍ନ ନେଉନାହିଁ।
ମେନକା କହିଛନ୍ତି ଯେ, ସେ ନିକଟରେ ଇସ୍କନର ଆନ୍ଧ୍ରପ୍ରଦେଶସ୍ଥିତ ଅନନ୍ତପୁର ଗୋଶାଳାକୁ ଯାଇଥିଲେ। କିନ୍ତୁ ଗୋଟିଏ ବି ଗାଈ ସେଠାରେ ଭଲ ଅବସ୍ଥାରେ ଥିବା ଦେଖିବାକୁ ପାଇ ନ ଥିଲେ। ଗୋଶାଳାରେ ଗୋଟିଏ ବି ବାଛୁରି ନ ଥିଲେ, ତା’ ମାନେ ସବୁ ବାଛୁରିଙ୍କୁ ବିକ୍ରି କରିଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଇସ୍କନ କଂସେଇଙ୍କୁ ଯେତିକି ଗାଈ ବିକୁଛି, ଅନ୍ୟ କେହି ସେପରି କରୁ ନାହାନ୍ତି। ଅଥଚ ରାସ୍ତାରେ ସେମାନେ ‘ହରେ ରାମ ହରେ କୃଷ୍ଣ’ ଗାଇ ଗାଇ ବୁଲୁଛନ୍ତି ଏବଂ ସେମାନଙ୍କ ସାରା ଜୀବନ କ୍ଷୀର ଉପରେ ନିର୍ଭରଶୀଳ ବୋଲି ସେମାନେ କହିଚାଲିଛନ୍ତି ବୋଲି ମେନକା କହିଥିଲେ।
ଅନ୍ୟପକ୍ଷରେ ଇସ୍କନ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଏପରି ବିବୃତିରେ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଛି। ଏଭଳି ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ବୋଲି ସେମାନେ କହିଛନ୍ତି। ଇସ୍କନର ଜାତୀୟ ମୁଖପାତ୍ର ଯୁଧିଷ୍ଠିର ଗୋବିନ୍ଦ ଦାସ ଏକ ବିବୃତିରେ କହିଛନ୍ତି, ସାରା ବିଶ୍ବର ଅନେକ ସ୍ଥାନରେ ଗୋସୁରକ୍ଷାର ଅଗ୍ରଦୂତ ସାଜିଛି ଇସ୍କନ, ଯେଉଁଠି ଗୋମାଂସ ଏକ ଖାଦ୍ୟ ଭାବରେ ପ୍ରଚଳିତ। ଅନେକ ପରିତ୍ୟକ୍ତ ଓ ଆହତ ଗୋରୁଙ୍କୁ ଆଣି ଇସ୍କନରେ ନିଜ ଗୋଶାଳାରେ ରଖି ଯତ୍ନ ନେଇଥାଏ। କଂସେଇଖାନାକୁ ଯାଉଥିବା ଗୋରୁଙ୍କୁ ବି ଉଦ୍ଧାର କରି ଇସ୍କନ ନିଜ ଗୋଶାଳାରେ ଆଣି ରଖିଥାଏ। ତେଣୁ ମେନକା ଗାନ୍ଧିଙ୍କ ଅଭିଯୋଗ ସେମାନଙ୍କୁ ବିସ୍ମିତ କରିଛି ବୋଲି ଦାସ କହିଛନ୍ତି। ସେ ମେନକା ଗାନ୍ଧିଙ୍କଠାରୁ ତାଙ୍କ ବିବୃତିର ସତ୍ୟତାର ପ୍ରମାଣ ଦାବି କରିଛନ୍ତି। ସେ କହିଛନ୍ତି ଯେ ମେନକା ଗାନ୍ଧି କେବେ ବି ଅନନ୍ତପୁର ଗୋଶାଳା ପରିଦର୍ଶନ କରିନାହାନ୍ତି । ସେ ତାଙ୍କ ଅଭିଯୋଗର ଯେ କୌଣସି ପ୍ରମାଣ ଦେଖାନ୍ତୁ ବୋଲି ଇସ୍କନ ପିଆର୍ଓ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର