ନୂଆଦିଲ୍ଲୀ: କ୍ରିକେଟ ଉପରେ ମହାମାରୀ ମାଡ଼ । ବିଭିନ୍ନ ମ୍ୟାଚ୍ ବାତିଲ ହେଉଥିବା ବେଳେ ଏବେ ୨୦୨୧କୁ ଘୁଞ୍ଚିଲା ଏସିଆ କପ । ଚଳିତ ବର୍ଷ ସେପ୍ଟେମ୍ବରରେ ହେବାକୁ ଥିବା ଏସିଆ କପ୍ ଆଗାମୀ ବର୍ଷ ଜୁନକୁ ଘୁଞ୍ଚିଲା । ତେବେ ଏହି ମ୍ୟାଚ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ । ୨୦୨୦ ଟୁର୍ଣ୍ଣାମେଣ୍ଟ ୟୁଏଇରେ ପାକିସ୍ତାନ ସହିତ ଆୟୋଜିତ ହେବାର ଥିଲା । କିନ୍ତୁ ପାକିସ୍ତାନ ସହ ଖେଳିବାକୁ ମନାକରିଥିଲା ଭାରତୀୟ କ୍ରିକେଟ ବୋର୍ଡ । କିନ୍ତୁ ପରେ ଏଥିରେ ସହମତି ପ୍ରକାଶ କରିଥିଲା ବୋର୍ଡ ।
ମହାମାରୀ ସମୟରେ ଏସିଆ କପ ଆୟୋଜନ କରିବା ସମ୍ଭବ ନୁହେଁ । ଏଥିରେ ଖେଳାଳିଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଅଛି ବୋଲି ଏସିସି ମତ ଦେଇଛି । ତେବେ ଅଂଶଗ୍ରହଣକାରୀ ଖେଳାଳି, ସପୋର୍ଟ ଷ୍ଟାଫ୍ ଏବଂ କ୍ରିକେଟ୍ ପ୍ରଶଂସକଙ୍କ କଥା ବିଚାର କରି ଏହି ଟୁର୍ଣ୍ଣାମେଣ୍ଟକୁ ଘୁଞ୍ଚାଇ ଦେଇଛି ଏସିଆନ କ୍ରିକେଟ କାଉନସିଲ (ଏସିସି) ।
ଏସିଆ କପ୍ ପ୍ରତି ଦୁଇ ବର୍ଷରେ ଥରେ ଖେଳାଯାଏ, ଏବଂ ୨୦୧୬ ପରଠାରୁ ଏହା ଏସିଆର କ୍ରିକେଟ ଖେଳୁଥିବା ରାଷ୍ଟ୍ର ମାନଙ୍କରେ ରୋଟେସନ ପଦ୍ଧତିରେ ଖେଳାଯାଉଛି । ୨୦୦୮ ଠାରୁ ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ଆୟୋଜିତ ହୋଇନାହିଁ । ଶ୍ରୀଲଙ୍କା ୨୦୧୦ ସଂସ୍କରଣ ଆୟୋଜନ କରିଥିବାବେଳେ ପରବର୍ତ୍ତୀ ତିନୋଟି ସଂସ୍କରଣ ବାଂଲାଦେଶରେ ଅନୁଷ୍ଠିତ ହୋଇଥିଲା । ୟୁଏଇରେ ଶେଷ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ତେବେ ୨୦୨୧ ରେ ଏସିଆ କପ ଶ୍ରୀଲଙ୍କା ଆୟୋଜନ କରୁଥିବାବେଳେ ୨୦୨୨ ମସିହାରେ ଏହା ପାକିସ୍ତାନରେ ଆୟୋଜିତ ହେବ ବୋଲି ଏସିସି ସୂଚନା ଦେଇଛି ।

