ଭୁବନେଶ୍ୱର : ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ୍ ୨୦୨୦ରେ ଜୈନ ୟୁନିଭର୍ସିଟି, କର୍ଣ୍ଣାଟକର ଉନ୍ନତ ପ୍ରଦର୍ଶନ ରହିଆସିଛି। ଜୈନ ୟୁନିଭର୍ସିଟିର ଜଣେ କୁଶଳୀ ବାସ୍କେଟବଲ ଖେଳାଳୀ ହେଉଛନ୍ତି ସହଜ୍ ପଟେଲ। ବରୋଦାରେ ଜନ୍ମିତ ଏହି ଖେଳାଳୀ ଛଅ ଫୁଟ ଏବଂ ୯ ଇଞ୍ଚର ଉଚ୍ଚତା ସହ ଗେମର ସବୁଠାରୁ ଡେଙ୍ଗା ଖେଳାଳୀ ରୂପେ ମଧ୍ୟ ବିବେଚିତ। ୧୮ ବର୍ଷ ବୟସରେ କଲେଜରେ ଯୋଗଦେବା ପରେ ସହଜ୍ ତାଙ୍କ ଜୀବନରେ ବହୁତ ବିଳମ୍ବରେ ବାସ୍କେଟବଲ ସହିତ ସଂଶ୍ଳିଷ୍ଟ ହୋଇଛନ୍ତି ।
୪ ବର୍ଷ ହେଲା ସହଜ୍ ବାସ୍କେଟବଲ ଖେଳ ସହ ପରିଚିତ। ଖେଳ କ୍ୟାରିଅରକୁ ନେଇ ସହଜ କହିଛନ୍ତି ଯେ, ମୋ ଅଭିଭାବକ ଏଥିପାଇଁ ଖୁସି ନଥିଲେ, ସେମାନେ ପ୍ରଥମେ ଏଥିପାଇଁ ରାଜି ନଥିଲେ। କିନ୍ତୁ ସମୟକ୍ରମେ ସେମାନେ ବୁଝିଗଲେ ଯେ ଏହା ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ତେବେ ଏହି ଖେଳାଳୀ ଇଞ୍ଜିନିୟରିଂ ଶେଷକରି ଏବେ ଜୈନ ୟୁନିଭର୍ସିଟିରେ ବାଣିଜ୍ୟରେ ମାଷ୍ଟର ଡିଗ୍ରୀ ଅଧ୍ୟ୍ୟୟନରତ ।
ସହଜ୍ ଜାତୀୟ ଚୟନକର୍ତ୍ତାଙ୍କ ନଜରକୁ ସେତେବେଳେ ଆସିଥିଲେ ଯେତେବେଳେ ସେ ନ୍ୟାସନାଲରେ ଗୁଜୁରାଟ ତରଫରୁ ପ୍ରତିନିଧିତ୍ୱ କରିଥିଲେ ଏବଂ ପରିଶେଷରେ ସାଫ୍ ଗେମ୍ସରେ ଭାରତ ପାଇଁ ଖେଳିବାର ସୁଯୋଗ ପାଇଥିଲେ। ସେଠାରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା ଏବଂ ସହଜ୍ ସେହି ଷ୍ଟାର ଖେଳାଳୀ ମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ।
ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୦ ସମ୍ପର୍କରେ ସହଜ୍ କହିଛନ୍ତି ଯେ, ଭାରତ ସରକାରଙ୍କ ଦ୍ୱାରା ଏହା ଏକ ବୃହତ୍ତ ପଦକ୍ଷେପ । ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଏକ ଅଂଶ ଭାବେ ମୁଁ ବେଶ୍ ଆନନ୍ଦିତ । ସରକାର ଏହିଭଳି କେତେକ ପଦକ୍ଷେପ ମାଧ୍ୟମରେ କ୍ରୀଡ଼ାବିତମାନଙ୍କୁ ସମର୍ଥନ କରିବେ ବୋଲି ମୁଁ ଆଶାୟୀ ।

