ଅର୍ଗସ ବ୍ୟୁରୋ: ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେଲେ ପୂର୍ବତନ ଭାରତୀୟ ସ୍ପିଡ ବୋଲର ଇର୍ଫାନ ପଠାନ । ଦୀର୍ଘଦିନ ହେଲା ଜାତୀୟ ଦଳରୁ ଦୂରେଇ ରହିଥିବା ଇର୍ଫାନ ଆଜି ନିଜର ଅବସର ଘୋଷଣା କରିଛନ୍ତି । ୨୦୦୩ ସମିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜ କ୍ୟାରିଅର ଆରମ୍ଭ କରିଥିବା ଇର୍ଫାନ୍ ଭାରତ ପକ୍ଷରୁ ୨୯ଟି ଟେଷ୍ଟ, ୧୨୦ଟି ୱାନଡେ ଏବଂ ୨୪ଟି ଟି- ଟ୍ୱେଣ୍ଟି ମ୍ୟାଚରେ ପ୍ରତିନିଧିତ୍ୱ କରିଥିଲେ ।
ଏକଦା ଭାରତୀୟ ଦଳର ଟ୍ରମ୍ପକାର୍ଡ କୁହାଯାଉଥିବା ଏହି ଅଲରାଉଣ୍ଡର ୩୦୧ଟି ଅର୍ନ୍ତଜାତୀୟ ୱିକେଟ ନେଇଛନ୍ତି । କେବଳ ସେତିକି ନୁହେଁ ବ୍ୟାଟିଙ୍ଗରେ ମଧ୍ୟ ୧୧୦୫ ଟେଷ୍ଟ ମ୍ୟାଚ ରନ୍, ୧୫୪୪ ଏକଦିବସୀୟ ରନ କରିଛନ୍ତି ଇର୍ଫାନ୍ । ୨୦୦୪ ମସିହାରେ ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚରେ ହାଟ୍ରିକ ୱିକେଟ ନେଇଥିଲେ ଇର୍ଫାନ । ତିନୋଟି ବଲରେ ପାକିସ୍ତାନର ସଲମାନ ବଟ୍ଟ, ୟୁନିସ୍ ଖାନ ଓ ମହମ୍ମଦ ୟୁସୁଫଙ୍କ ୱିକେଟ ନେଇ ହାଟ୍ରିକ ଅର୍ଜନ କରିଥିଲେ ଇର୍ଫାନ୍ ।
ଇର୍ଫାନ ୨୦୦୨ ମସିହାର ୧୯ ବର୍ଷରୁ କମ୍ ଭାରତୀୟ ଦଳର ସଦସ୍ୟ ଏବଂ ୨୦୧୩ ଚାମ୍ପିଅନସ ଟ୍ରଫି ବିଜେତା ଭାରତୀୟ ଦଳର ସଦସ୍ୟ ମଧ୍ୟ ଥିଲେ । ପ୍ରଥମରୁ ବରୋଦା ପାଇଁ ରଣଜୀ ଖେଳୁଥିବା ପଠାନ୍ ପରେ ଜାମ୍ମୁ ଓ କାଶ୍ମୀର ପାଇଁ ରଣଜୀ ମ୍ୟାଚ ଖେଳିଥିଲେ । ବାରମ୍ବାର ଆହତ ଜନିତ ସମସ୍ୟା କାରଣରୁ ଦଳର ନିୟମିତ ସଦସ୍ୟ ହୋଇପାରୁନଥିବା ଇର୍ଫାନ୍ ଶେଷଥର ପାଇଁ ୨୦୧୨ ମସିହାରେ ଭାରତ ପକ୍ଷରୁ ଖେଳିଥିଲେ । କିଙ୍ଗସ୍ ଏକାଦଶ ପଂଜାବ, ସନ ରାଇଜରସ୍ ହାଇଦ୍ରାବାଦ ଆଦି ଦଳ ପକ୍ଷରୁ ଆଇପିଏଲ ମଧ୍ୟ ଖେଳିଥିଲେ ଇର୍ଫାନ ।
