ଇଂଲଣ୍ଡ: ଆରମ୍ଭ ହୋଇଯାଇଛି ଆଇସିସି ବିଶ୍ୱକପ୍ କ୍ରିକେଟ ୨୦୧୯ ମହାକୁମ୍ଭ । ପ୍ରାୟ ଦେଢ଼ମାସ ଧରି ଚାଲିବାକୁ ଥିବା କ୍ରିକେଟ ମହାକୁମ୍ଭ ମୁକାବିଲାରେ ଚଳିତ ବର୍ଷ କ୍ରିକେଟ ବିଶ୍ୱକପରେ ଓପନିଂ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା। ଓଭାଲ ଗ୍ରାଉଣ୍ଡରେ ଭାରତୀୟ ସମୟ ଦିନ ୩ଟାରେ ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହୋଇଥିଲା । ଉଦଘାଟନୀ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୦୪ ରନରେ ପରାସ୍ତ କରିଛି ଆୟୋଜକ ଦଳ ଇଂଲଣ୍ଡ । ଏହି ବିଜୟ ସହ ଇଂଲଣ୍ଡ ଦମଦାର ଶୈଳୀରେ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଙ୍ଗ ସବୁଥିରେ ଜବରଦସ୍ତ ପ୍ରଦର୍ଶନ କରି ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ଆୟୋଜକ ଦଳ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୧୧ ରନ ସଂଗ୍ରହ କରିଥିଲା ।
ଦଳ ପକ୍ଷରୁ ରୁଟ୍ , ମୋର୍ଗାନ ଓ ଷ୍ଟୋକସଙ୍କ ଅର୍ଦ୍ଧଶତକ ବଳରେ ବଡ ସ୍କୋର କରିପାରିଥିଲା ଇଂଲଣ୍ଡ ଦଳ । ୩୧୨ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ମାତ୍ର ୨୦୭ରନ କରିପାରିଥିଲା । ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କରିଥିଲେ ଇଂଲଣ୍ଡର ଯୁବ ଅଲରାଉଣ୍ଡର ଜୋଫ୍ରା ଆର୍ଚର । ସେପଟେ ଆଜି ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା ହେବ ।
