ଅର୍ଗସ ବ୍ୟୁରୋ: ଫେବୃଆରୀ ୧୮ ତାରିଖରେ ଆଇପିଏଲ ୧୪ ନିମନ୍ତେ ନିଲାମ ଚେନ୍ନାଇରେ ହେବାକୁ ଯାଉଛି । ଏହି ନିଲାମ ନିମନ୍ତେ ୨୯୨ ଖେଳାଳିଙ୍କୁ ସର୍ଟ ଲିଷ୍ଟ କରିଛି ବିସିସିଆଇ । ତେବେ ଆଇପିଏଲ ନିଲାମରେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲଙ୍କୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଂଜର ବାଙ୍ଗାଲୋର କିଣିପାରେ ବୋଲି ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର କହିଛନ୍ତି । ଗମ୍ଭୀର ମତ ଅନୁସାରେ, ଆରସିବି ଦଳରେ ଭଲ ଫିନିସର ନାହାନ୍ତି ।
ଭଲ ଫିନିସ ପାଇଁ ଦଳ ସର୍ବଦା ଏବି ଡିଭିଲିୟର୍ସଙ୍କ ଉପରେ ନିର୍ଭର କରିଥାଏ । ଯଦି ମ୍ୟାକ୍ସୱେଲଙ୍କୁ ଆରସିବି ଦଳରେ ସାମିଲ କରେ ତେବେ ସେ ଦଳ ପାଇଁ ଏକ୍ସ ଫ୍ୟାକ୍ଟର ହୋଇପାରନ୍ତି ବୋଲି ଗମ୍ଭୀର କହିଛନ୍ତି । ପୂର୍ବ ଆଇପିଏଲ ସିଜିନରେ କିଙ୍ଗସ ଏକାଦଶ ପଂଜାବ ତାଙ୍କୁ ୧୦.୭୫ କୋଟି ଟଙ୍କାରେ କିଣିଥିଲା । ମାତ୍ର ଆଶାନୁରୂପ ପ୍ରର୍ଦଶନ କରିବାରେ ଏହି ବିସ୍ଫୋରକ ବ୍ୟାଟ୍ସମାନ ବିଫଳ ହୋଇଥିଲେ । ଗତ ବର୍ଷ ଆଇପିଏଲରେ ୧୩ ଟି ମ୍ୟାଚରୁ ମ୍ୟାକ୍ସୱେଲ ମାତ୍ର ୧୦୮ ରନ ସ୍କୋର କରିଥିଲେ ।