ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । କେଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୨୦୮ ରନ୍ ସଂଗ୍ରହ କରିଥିଲା ରୋହିତ ବାହିନୀ । କିନ୍ତୁ ନିରାଶ କରିଥିଲେ ଭାରତୀୟ ବୋଲର । ଟିମ୍ ଇଣ୍ଡିଆର ଖରାପ ବୋଲିଂ ପାଇଁ ୨୦୯ ରନର ବିଶାଳ ବିଜୟଲକ୍ଷ୍ୟକୁ ଅତି ସହଜରେ ହାସଲ କରିନେଇଥିଲା ଅଷ୍ଟ୍ରେଲିଆ ।ଏହି ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ହାସଲ କରିଛି।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୭୧ ରନ, କେଏଲ ରାହୁଲଙ୍କ ୫୫ ରନ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ୪୬ ରନ ବଳରେ ୬ ଓ୍ଵିକେଟ୍ ହରାଇ ୨୦୮ ରନ କରିଥିଲା। ଜବାବରେ କ୍ୟାମେରୁନ ଗ୍ରୀନଙ୍କ ବିସ୍ଫୋରକ ୬୧ ରନ ଏବଂ ମାଥ୍ୟୁ ଓ୍ଵାଦେଙ୍କ ଅପରାଜିତ ୪୫ ରନ ବଳରେ ଅଷ୍ଟ୍ରେଲିଆ ୨୦୯ ରନର ବିଶାଳ ବିଜୟ ଲକ୍ଷ୍ୟକୁ ୧୯.୨ ଓଭରରେ ୬ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଷ୍ଟିଭ୍ ସ୍ମିଥ୍ ୩୫ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଭାରତ ପକ୍ଷରୁ ଅକ୍ଷର ପଟେଲ୍(୩ ଓ୍ଵିକେଟ୍)ଙ୍କୁ ବାଦ୍ ଦେଲେ ବାକି ବୋଲର ନିରାଶ କରିଛନ୍ତି।
୨୦୯ ରନର ବିଶାଳ ବିଜୟ ଲକ୍ଷ୍ୟ କରିଥିବା ଅଷ୍ଟ୍ରେଲିଆ ଆରମ୍ଭର ବିସ୍ଫୋରକ ବ୍ୟାଟିଂ କରିଥିଲା। ୩.୩ ଓଭରରେ ଦୁଇ ଓପନର ଫିଞ୍ଚ ଏବଂ ଗ୍ରୀନ ୩୯ ରନ ଯୋଡିଥିଲେ। ଏହା ପରେ ଗ୍ରୀନ ଏବଂ ଷ୍ଟିଭ୍ ସ୍ମିଥ୍ ଦଳର ଇନିଂସକୁ ଆଗେଇ ନେଇଥିଲେ। ବିଶେଷ କରି ଗ୍ରୀନ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍ରେ ୭୦ ରନ ଯୋଡି ଦଳ ବିଜୟର ମୂଳଦୁଆ ପକାଇଥିଲେ।
ଭାରତ ପକ୍ଷରୁ ଭୁବନେଶ୍ଵର କୁମାର ୫୨ ରନ ଦେଇ ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ହର୍ଷଲ ପଟେଲ୍ ମଧ୍ୟ ୪୯ ରନ ବ୍ୟୟ କରିଛନ୍ତି। ଅକ୍ଷର ପଟେଲ୍ ୧୭ ରନରେ ୩ ଓ୍ଵିକେଟ୍ ନେବାରେ ସଫଳ ହୋଇଥିଲେ। ଉମେଶ ଯାଦବ ୨ ଓଭରରେ ୨୭ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।