ନୂଆଦିଲ୍ଲୀ: ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ୧୦ ୱିକେଟ ହରାଇଛି ଭାରତ । ଏହି ମ୍ୟାଚ ପରାଜୟ ସହ ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲରୁ ବାଦ ପଡିଛି ଇଂଲଣ୍ଡ ।
ଭାରତ ଏବେ ୪୯୦ ପଏଣ୍ଟ ସହ ଏହି ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ବେଳେ ୪୨୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଥିବା ନ୍ୟୁଜଲାଣ୍ଡ ଏକମାତ୍ର ଦଳ ଭାବେ ଏହି ଫାଇନାଲ ଖେଳିବାକୁ କ୍ୱାଲିଫାଏ କରି ସାରିଛି ।
ଦ୍ୱିତୀୟ ଦଳ ଭାବେ ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଦୌଡରେ ରହିଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ । ତେବେ ଭାରତ-ଇଂଲଣ୍ଡ ସିରିଜର ଚତୁର୍ଥ ମ୍ୟାଚ ପରେ ନ୍ୟୁଜଲାଣ୍ଡ ବିପକ୍ଷରେ କିଏ ଫାଇନାଲ ଖେଳିବ ତାହା ପକ୍କା ହୋଇଯିବ ।
ଯଦି ଭାରତ ଚତୁର୍ଥ ମ୍ୟାଚରେ ବିଜୟ କିମ୍ବା ଡ୍ର ରଖେ ତେବେ ଭାରତ ଆଇସିସି ୱାଲର୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ନିମନ୍ତେ ତାର ସ୍ଥାନ ପକ୍କା କରିବ । ଯଦି ଭାରତ ଏହି ମ୍ୟାଚରେ ପରାଜୟ ବରଣ କରେ ତେବେ ଅଷ୍ଟ୍ରେଲିଆ ଏଥି ନିମନ୍ତେ କ୍ୱାଲିଫାଏ କରିବ ।