ରୋହିତ ଖାତା ଖୋଲି ନପାରି ଆଉଟ ହୋଇଥିବା ବେଳେ ବିରାଟ ମାତ୍ର ୩ ରନ୍ କରି ଆଉଟ୍ ହୋଇଥିଲେ। ଆଜିର ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆଗ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ୨୦ ଓଭର ଖେଳି ୧୦୭ ରନ୍ର ଟାର୍ଗେଟ୍ ଦେଇଥିଲା। ତେବେ ଏଥିପାଇଁ ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କୁ କଡ଼ା ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ଭାରତୀୟ ବୋଲରମାନେ ଆଫ୍ରିକା ଟିମ୍ର ନିଦ ହଜାଇ ଦେଇଥିଲେ। ବୋଲରଙ୍କ କମାଲ ପରେ କେଏଲ୍ ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ଦମ୍ଦାର ଅର୍ଦ୍ଧଶତକ ବଳରେ ଭାରତ ବୁଧବାର ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍ରେ ପରାସ୍ତ କରିଦେଇଛି।
ବୋଲରମାନେ ଭ୍ରମଣକାରୀ ଦଳର ପାଳିକୁ ୧୦୬/୮ରେ ସୀମିତ ରଖିବା ପରେ ଭାରତ ୨ ୱିକେଟ୍ ବିନିମୟରେ ୨୦ ବଲ୍ ପୂର୍ବରୁ ବିଜୟ ହାସଲ କରିନେଇଥିଲା। ଦକ୍ଷିଣ ଆଫ୍ରିକା ଭଳି ଭାରତ ମଧ୍ୟ ଆରମ୍ଭରୁ ବିପର୍ଯ୍ୟୟ ସାମ୍ନା କରିଥିଲା। ଅଧିନାୟକ ରୋହିତ ଶର୍ମା ଖାତା ଖୋଲିବା ପୂର୍ବରୁ ଏବଂ ବିରାଟ କୋହଲି ୩ ରନ୍ କରି ଦଳୀୟ ସ୍କୋର୍ ୧୭ ବେଳକୁ ପାଭିଲିୟନ୍ ଫେରି ଯାଇଥିଲେ। ତେବେ ରାହୁଲ ଓ ସୂର୍ଯ୍ୟକୁମାର ଅତୁଟ ତୃତୀୟ ୱିକେଟ୍ରେ ୯୩ ରନ୍ ଯୋଡ଼ି ଭାରତକୁ ସହଜ ବିଜୟ ଭେଟି ଦେଇଥିଲେ।
ଭାରତ ୧୬.୪ ଓଭରରେ ୨ ୱିକେଟ୍ ବିନିମୟରେ ୧୧୦ ରନ୍ କରି ବିଜୟ ସହ ଶୃଙ୍ଖଳା ଅଭିଯାନ ଆରମ୍ଭ କରିଥିଲା। ତାବ୍ରିଜ୍ ସାମ୍ସୀଙ୍କୁ ଛକା ମାରି ରାହୁଲ ଅର୍ଦ୍ଧଶତକ ପୂରଣ କରିବା ସହିତ ବିଜୟ ମୁଣ୍ଡି ମାରିଥିଲେ। ଏଥି ସହିତ ୩ ମ୍ୟାଚ୍ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ପାଇଯାଇଛି। ଚମତ୍କାର ବୋଲିଂ ପାଇଁ ଅର୍ଶଦୀପ ସିଂହଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଆସନ୍ତା ଅକ୍ଟୋବର ୨ ତାରିଖ ଦିନ ଗୁଆହାଟୀରେ ଦ୍ବିତୀୟ ମ୍ୟାଚ୍ ଖେଳାଯିବ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।