ଆଗକୁ ହେବାକୁ ଥିବା ଆଇପିଏଲରେ ସାମିଲ ହେବା ପାଇଁ ଭାରତୀୟ ଡୋମେଷ୍ଟିକ କ୍ରିକେଟରଙ୍କ ପାଇଁ ଏହି ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପ୍ଲାଟଫର୍ମ ସଦୃଶ । ଚଳିତ ବର୍ଷ କିଛି କ୍ରିକେଟର ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଚତ୍ମକାର ପ୍ରର୍ଦଶନ କରିବା ସହ ଆଇପିଏଲ ଖେଳିବାର ସୁଯୋଗ ପାଇ ପାରନ୍ତି ବୋଲି ଆଶା କରାଯାଉଛି । ଏହି ତାଲିକାରେ ପ୍ରଥମେ ରହିଛନ୍ତି ପୁଡୁଚେରୀ ପକ୍ଷରୁ ଖେଳୁଥିବା ୱିକେଟ କିପର ବ୍ୟାଟ୍ସମାନ ସେଲଡନ ଜ୍ୟାକସନ । ଚଳିତ ବର୍ଷ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ୮୦.୬୬ ଆଭରେଜରେ ଜ୍ୟାକସନ ୨୪୨ ରନ ସ୍କୋର କରିଛନ୍ତି ଏବଂ ପୂରା ଟୁର୍ଣ୍ଣାମେଣ୍ଟରେ ସେ ୧୫୦ ରୁ ଉର୍ଦ୍ଧ ଷ୍ଟାଇକରେଟରେ ବ୍ୟାଟିଙ୍ଗ କରିଛନ୍ତି । ସେହିପରି ସ୍ଲଗ ଓଭରରେ ବିସ୍ପୋରକ ବ୍ୟାଟିଙ୍ଗ କରି ଦଳର ଅନେକ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ତାମିଲନାଡୁ ବ୍ୟାଟସମାନ ଶହାରୁଖ ଖାନଙ୍କୁ ମଧ୍ୟ ଏଥର ଆଇପିଏଲରେ ଦେଖିବାକୁ ମିଳିପାରେ । ଏହି ଦୁଇ ଖେଳାଳିଙ୍କୁ ପଂଜାବ ଏବଂ ହାଇଦ୍ରାବାଦ ପରି ଫ୍ରାଂଚାଇଜ ନିଜ ଦଳରେ ସାମିଲ କରିବା ସହ ଫିନିସର ଭାବେ ବ୍ୟବହାର କରି ପାରନ୍ତି ।
ବରୋଦା ବ୍ୟାଟସମାନ ବିଷ୍ଣୁ ସୋଲାଙ୍କି, ମୁମ୍ବାଇ ବିପକ୍ଷରେ ମାତ୍ର ୩୭ ବଲରୁ ଶତକ ହାସଲ କରିଥିବା କେରଳର ଓପନର ବ୍ୟାଟସମାନ ମହମ୍ମଦ ଆଝାରୁଦ୍ଦିନ ଏବଂ ମିଜୋରାମ ବିପକ୍ଷରେ ୧୪୬ ରନର ଇଂନିସ ଖେଳିଥିବା ପୁନିତ ବିସ୍ତଙ୍କୁ ମଧ୍ୟ ବିଭିନ୍ନ ଫ୍ରାଂଚାଇଜ ସେମାନଙ୍କ ଦଳରେ ସାମିଲ କରିପାରନ୍ତି । ମାତ୍ର ୬.୨୭ ଇକୋନମିରେ ୧୪ ୱିକେଟ ହାସଲ କରିଥିବା ବରୋଦାର ବାମହାତୀ ବୋଲର ଲୁକମାନ ମେରିୱାଲା ଏବଂ ଫାଇନାଲରେ ଚାରୋଟି ୱିକେଟ ହାସଲ କରିଥିବା ତାମିଲନାଡୁ ସ୍ପିନର ଏମ. ସିଦ୍ଧାର୍ଥଙ୍କ ଉପରେ ମଧ୍ୟ ବିଭିନ୍ନ ଫ୍ରାଚାଇଜଙ୍କ ନଜର ରହିପାରେ। ଏହା ସହ ଜାମ୍ମୁ ଓ କାଶ୍ମୀରର ଯୁବ ବୋଲର ମୁଜତାବା ୟୁସୁଫ ଏବଂ ନାଗାଲାଣ୍ଡର ଲେଗ ସ୍ପିନର ଖେରିଭିଟସୋ କେନେସଙ୍କୁ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଟିମ ସେମାନଙ୍କ ଟ୍ରାଏଲ କ୍ୟାମ୍ପକୁ ଡକାଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ନିଜର ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ କରିଥିବା ପ୍ରର୍ଦଶନ ଦ୍ୱାରା ଆଇପିଏଲରେ କେଉଁ କେଉଁ ଭାରତୀୟ ଡୋମେଷ୍ଟିକ ଖେଳାଳି ସାମିଲ ହୋଇପାରୁଛନ୍ତି ।