ନୂଆଦିଲ୍ଲୀ: ଫେବୃଆରୀ ୧୮ ତାରିଖରେ ଚେନ୍ନାଇରେ ଅନୁଷ୍ଠିତ ହେବ ଆଇପିଏଲ -୧୪ ନିମନ୍ତେ ନିଲାମ ପକ୍ରିୟା । ତେବେ ବର୍ତ୍ତମାନ ସୁଦ୍ଧା ସମସ୍ତ ଦଳ ସେମାନଙ୍କ କିଛି ଖେଳାଳିଙ୍କୁ ଦଲରେ ରଖିଥିବା ବେଳେ କିଛି ଖେଳାଳିଙ୍କୁ ବାହାର କରିଛନ୍ତି । ଚଳିତ ବର୍ଷ ଆଇପିଏଲ ନିଲାମରେ ସର୍ବାଧିକ ଟଙ୍କା ରହିଛି କିଙ୍ଗସ ଏକାଦଶ ପଂଜାବ ଦଳ ନିକଟରେ ।
ଦଳ ପାଖରେ ୫୩.୨୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଥିବା ବେଳେ ପାଂଚ ଜଣ ବିଦେଶୀ ଖେଳାଳିଙ୍କୁ ସହ ନଅ ଖେଳାଳିଙ୍କୁ କିଣି ପାରିବ ପଂଜାବ । ଦଳରେ କେଏଲ ରାହୁଲ, ମୟଙ୍ଗ ଅଗ୍ରୱାଲ, ମନଦୀପ ସିଂ, ଦୀପକ ହୁଡା ଆଦି ଭାରତୀୟ ବ୍ୟାଟସମାନ ରହିଥିବା ବେଳେ ୟୁନିଭର୍ସ ବସ କ୍ରିସ ଗେଲ, ନିକୋଲସ ପୋରାନ ଆଦି ବିଦେଶୀ ବ୍ୟାଟସମାନ ରହିଛନ୍ତି ।
ଦଳ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଏବଂ ପୂର୍ବ ନିଲାମରେ ୮.୫ କୋଟିରେ କିଣିଥିବା ୱେଷ୍ଟଇଣ୍ଡିଜ ଫାଷ୍ଟ ବୋଲର ସେଲଡନ କଟରେଲ ଆଦି ବିଦେଶୀ ଖେଳାଳିଙ୍କୁ ଦଳରୁ ରିଲିଜ କରିଦେଇଛି । କ୍ରିସ ଜୋର୍ଦାନ ଦଳରେ ଏକମାତ୍ର ବିଦେଶୀ ଫାଷ୍ଟ ବୋଲର ରହିଥିବା ବେଳେ ମହମ୍ମଦ ସାମି, ଇଶାନ ପାରୋଲ ଏବଂ ଅର୍ଶଦୀପ ସିଂ ଆଦି ଭାରତୀୟ ବୋଲର ରହିଛନ୍ତି ।
ଅନ୍ୟ ପକ୍ଷରେ ରବି ବିଷ୍ଣୋୟୀ ଏବଂ ମୁର୍ଗାନ ଅଶ୍ୱିନଙ୍କ ପରି ସ୍ପିନର ଦଳରେ ରହିଛନ୍ତି । ତେବେ ଦଳର ଆବଶ୍ୟକତାକୁ ଦେଖିଲେ ବିଦେଶୀ ଫାଷ୍ଟ ବୋଲର ଏବଂ ସ୍ପିନର ଉପରେ ନଜର ରଖିବ କିଙ୍ଗସ ଏକାଦଶ ପଂଜାବ ।
ବିଶେଷ ଭାବେ ମିଚେଲ ମ୍ୟାକଲିଘାନ, କ୍ରିସ ମୋରିସ, ଓସେନ ଥୋମାସ, ବିଲି ଷ୍ଟାନଲେ, କେଲ ଜେମିରସନ ଆଦି ଫାଷ୍ଟ ବୋଲରଙ୍କ ମଧ୍ୟରୁ କାହାକୁ ନିଜ ଦଳରେ ସାମିଲ କରି ନିଜ ସ୍ପିଡ ଗନକୁ ଆହୁରି ମଜବୁତ କରିପାରେ ।
ସେହିପରି ସ୍ପିନରକୁ ଦେଖିଲେ ତନଭୀର ସାଙ୍ଗା, କ୍ରିସ ଗ୍ରୀନଙ୍କ ଉପରେ ମଧ୍ୟ ରହିପାରେ ପଂଜାବର ନଜର । ରାଜସ୍ଥାନ ଦଳ ରିଲିଜ କରିଥିବା ଅଷ୍ଟ୍ରେଲିଆ ବ୍ୟାଟସମାନ ଷ୍ଟିଭ ସ୍ମିଥ , ସିଦେଶ ଲାଡ ଏବଂ ଗୁରୁକିରତ ସିଂ ମନ ଆଦି ବ୍ୟାଟସମାନଙ୍କୁ ମଧ୍ୟ ଆଗାମୀ ଆଇପିଏଲର ନିଲାମରେ କିଣି ପାରେ ପଂଜାବ ।