ସିଧା ସିଧା କହିଲେ ପ୍ରତି ଛକାରେ ବଦଳିଯିବ ବଲ୍।
କୋଭିଡର ନୂଆ ଗାଇଡଲାଇନ୍ ଅନୁଯାୟୀ ଏମିତି କିଛି ପରିବର୍ତ୍ତନ କରିଛି IPL। IPLର କିଛି ଖେଳାଳି ତଥା ସହଯୋଗୀ ସଦସ୍ୟଙ୍କୁ କୋଭିଡ୍ ହେବାପରେ ଗତ ମେ ମାସରେ ଏହାକୁ ସ୍ଥଗିତ ରଖାଯାଇଥିଲା । ପରବର୍ତ୍ତୀ ସମୟରେ IPLହେବ କି ନାହିଁ ସେ ନେଇ ଆଶଙ୍କା ଦେଖାଦେଇଥିଲା । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ଆସନ୍ତା ସେପ୍ଟେମ୍ବର ୧୯ ତାରିଖରେ ଅବଶିଷ୍ଟ ମ୍ୟାଚ ଖେଳାଯିବା ନେଇ ଦିନ ଧାର୍ୟ୍ୟ କରିଛି ବିସିସିଆଇ ।
ଏହି ସମୟରେ ଖେଳାଳିମାନଙ୍କ ସୁରକ୍ଷା ତଥା ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ନିୟମରେ ପରିବର୍ତ୍ତନ କରାଯାଇଛି । ନୂଆ ଗାଇଡଲାଇନ୍ ଅନୁଯାୟୀ, ଯଦି ବଲ ଷ୍ଟାଡିୟମ ବାହାରକୁ ଯାଏ କିମ୍ବା ଷ୍ଟାଣ୍ଡକୁ ଚାଲିଯାଏ, ତେବେ ଚତୁର୍ଥ ଅମ୍ପାୟାରଙ୍କ ଦ୍ୱାରା ବିକଳ୍ପ ଭାବେ ଆଉ ଏକ ବଲ ଦିଆଯିବ । କୌଣସି ବ୍ୟାଟ୍ସମ୍ୟାନ୍ଙ୍କ ଛକା ପରେ ବଲ ଷ୍ଟାଡିୟମ କିମ୍ବା ଷ୍ଟାଣ୍ଡରେ ପଡିଲେ ସେହି ବଲକୁ ପୁଣି ଥରେ ପଡିଆ ମଧ୍ୟକୁ ଅଣାଯିବ ନାହିଁ। ପୂର୍ବରୁ ସାନିଟାଇଜ୍ ହୋଇଥିବା ଆଉ ଗୋଟିଏ ବଲରେ ଖେଳ ହେବ।
କ୍ରିକେଟ ବଲ ଦ୍ବାରା ସଂକ୍ରମଣ ବ୍ୟାପିବା ଆଶଙ୍କା କମ ଥିଲେ ବି ବିସିସିଆଇ କୌଣସି ରିସ୍କ ନେବାକୁ ଚାହୁଁନାହିଁ । ଯାହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।