ଭୁବନେଶ୍ବର: ବେଙ୍ଗାଲୁରୁରେ ଆୟୋଜିତ ନାଗେଶ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାକୁ ରନର୍ସ-ଅପ ରେ ସନ୍ତୁଷ୍ଟ ହେବାକୁ ପଡିଛି। ମଙ୍ଗଳବାର ଖେଳା ଯାଇଥିବା ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ଓଡ଼ିଶା ପଡୋଶୀ ଆନ୍ଧ୍ରପ୍ରଦେଶକୁ ଭେଟିଥିଲା। ଆନ୍ଧ୍ର ପ୍ରଦେଶ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଆନ୍ଧ୍ର 3 ଉଇକେଟ ହରାଇ ୨୪୬ ରନ କରିଥିଲା। ଦଳ ପକ୍ଷରୁ- ଡି ଭେଙ୍କେଟେଶ୍ଵରା ୧୩୨, ଟି ଦୂର୍ଗା ୪୭, ଡି ତାଣ୍ଡବା ୨୨ ଓ ଅଜୟ ରେଡ୍ଡୀ ୧୦ ରନ କରିଥିଲେ। ବୋଲିଂରେ ଓଡ଼ିଶା ସେମିତି କିଛି କମାଲ କରିପାରି ନଥିଲା।ଅଧିନାୟକ ମହମଦ ଜାଫର ଇକବାଲଙ୍କ ଓଭର ଓଡ଼ିଶାକୁ ମହଙ୍ଗା ପଡ଼ିଛି। ସେ ୪ ଓଭର ବୋଲିଂ କରି ୭୦ ରନ ଦେଇଥିଲେ। ଓଡ଼ିଶା ପକ୍ଷରୁ କେବଳ ତପନ କୁମାର ଗଉଡ ଗୋଟିଏ ୱିକେଟ ନେଇଥିବାବେଳେ ଅନ୍ୟ କୌଣସି ବୋଲର ଆନ୍ଧ୍ର ପ୍ରଦେଶର ଧୂଆଁଧାର ବ୍ୟାଟିଂ ଆଗରେ ତିଷ୍ଟି ପାରିନଥିଲେ।
ଅପର ପକ୍ଷେ ୨୪୭ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛାକରୀ ଓଡ଼ିଶା କେବଳ ୧୬୬/୫ ରନ କରିବାରେ ସକ୍ଷମ ହୋଇପାରିଥିଲା। ଓଡ଼ିଶା ଦଳର ସୁଖରାମ ମାଝି ୫୨*, ନାକୁଳ ବଡ଼ନାୟକ ୪୦, ପଙ୍କଜ ଭୁଏ ୩୫, ସିଙ୍ଗରାୟ ମାଝି ୧୦*, କାଳିଆ ପ୍ରଧାନ ୮, ଅଧିନାୟକ ଜାଫର ୨ ଓ ଲାଲ୍ ପ୍ରସାଦ ଶୂନ କରିଥିଲେ। ଆନ୍ଧ୍ର ପକ୍ଷରୁ- ଟି ଦୂର୍ଗା ରାଓ ୨ଟି ୱିକେଟ ନେଇଥିବାବେଳେ ଡି ଭେଙ୍କେଟେଶ୍ଵର , ବାନ୍ଦାପୁ ଓ କେ ପ୍ରେମ କୁମାର ଗୋଟିଏ ୱିକେଟ୍ ନେଇଥିଲେ। ଫଳସ୍ବରୂପ ଓଡ଼ିଶା ଏହି ଫାଇନାଲ୍ ମ୍ୟାଚରେ ୮୦ ରନ୍ ରେ ପରାସ୍ତ ହୋଇଛି।
ଡି. ଭେଙ୍କେଟେଶୋର ରାଓ ମ୍ୟାନ ଅଫଦି ମ୍ୟାଚ ହୋଇଥିଲା ବେଳେ, ପ୍ରକାଶ ଜୟରମୟହା ମ୍ୟାନ ଅଫ ଦି ସିରିଜ ହୋଇଥିଲେ। ଟୁର୍ଣ୍ଣାମେଣ୍ଟର ପୁରସ୍କାର ବିତରଣୀ ଉତ୍ସବରେ କର୍ଣ୍ଣାଟକର କ୍ରିଡ଼ା ମନ୍ତ୍ରୀ ଶି ନାରାୟଣ ଗୌଡ଼. ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଭୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।