ତେବେ ପାକିସ୍ତାନର ଏଭଳି ଧମକରେ କେତେ ସତ୍ୟତା ରହିଛି । ପାକିସ୍ତାନ କଣ ଭାରତରେ ଖେଳାଯିବାକୁ ଥିବା ବିଶ୍ବକପକୁ ବୟକଟ କରି ପାରିବ । କଣ ଏପରି କରିବା ପରେ ତାର ଯେଉଁ ସ୍ଥିତି ଉତ୍ପନ୍ନ ହେବ, ତାକୁ କଣ ପାକିସ୍ତାନ ସମ୍ଭାଳି ପାରିବ । ତେବେ ଯେଭଳି ସ୍ଥିତି ରହିଛି ସେଥିରେ ପାକିସ୍ତାନ ବିଶ୍ୱକପକୁ ବୟକଟ କରିବା ଆଦୌ ସମ୍ଭବ ନୁହେଁ ।
ଏହାର କାରଣ କଣ ସେ ସମ୍ପର୍କରେ ଏହି ରିପୋର୍ଟରେ ଆଲୋଚନା କରିବା । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରଲିଆ ହେଉଛନ୍ତି ତିନୋଟି ଦେଶ ଯେଉଁ ମାନେ ଆଇସିସି ଅର୍ଥାତ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲରୁ ମିଳୁଥିବା ଫଣ୍ଡ ଉପରେ ନିର୍ଭର କରନ୍ତି ନାହିଁ। ଏହି ତିନୋଟି ଦେଶ ବାଦ ଅନ୍ୟ ସମସ୍ତ ଦେଶ ତାଙ୍କର କ୍ରିକେଟ ଖେଳ ପାଇଁ ଆଇସିସିର ଫଣ୍ଡ ଉପରେ ନିର୍ଭରଶୀଳ । ପାକିସ୍ତାନ ମଧ୍ୟ କ୍ରିକେଟ ପାଇଁ ଆଇସିସି ଉପରେ ସମ୍ପୂର୍ଣ ଭାବେ ନିର୍ଭରଶୀଳ ।
ଆଇସିସିର ଅଧିକାଂଶ ଆୟ ଓ ଲାଭ ବିଶ୍ୱକପ ଓ ଚାମ୍ପିୟାନ୍ସ ଟ୍ରଫି ଭଳି ଆୟୋଜନରୁ ହୋଇଥାଏ। ଏହି ଅର୍ଥକୁ ଆଇସିସି ବିଭିନ୍ନ ଦେଶରେ ବିତରଣ କରିଥାଏ । ପାକିସ୍ତାନର କ୍ରିକେଟ ଏହି ଫଣ୍ଡ ଦ୍ୱାରା ବର୍ତମାନ ଯାଏ ଜୀବିତ ଅଛି।
ପାକିସ୍ତାନ ବିଶ୍ୱକପକୁ ବୟକଟ କରିବାର ଧମକ ତ ଦେଉଛି ହେଲେ ତା ପାଇଁ ଏପରି କରିବା ଆଦୌ ସମ୍ଭବ ନୁହେଁ । ଯଦି ପାକିସ୍ତାନ ଏପରି କରେ ତେବେ ତାକୁ କିଛି ବଡ କ୍ଷତି ସହିବାକୁ ପଡିବ।
ପ୍ରଥମଟି ହେଲା ପାକିସ୍ତାନ କ୍ରିକେଟ ବୋର୍ଡକୁ ଆଇସିସିରୁ ମିଳୁଥିବା ଫଣ୍ଡ ବନ୍ଦ କରି ଦିଆଯାଇ ପାରେ । ଡିଷ୍ଟ୍ରିବ୍ୟୁସନ ପ୍ଲାନ ଅନୁସାରେ ଆଗାମୀ ଚାରି ବର୍ଷ ମଧ୍ୟରେ ପାକିସ୍ତାନକୁ 283 କୋଟି ଟଙ୍କା ମିଳିବାର ଅଛି । ତାହା ବନ୍ଦ ହୋଇଗଲେ କାଙ୍ଗାଳ ପାକିସ୍ତାନର ସ୍ଥିତି ଆହୁରି ଖରାପ ହୋଇଯିବ । ଓ୍ବାର୍ଲ୍ଡକପକୁ ବୟକଟ କଲେ ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ଆଇସିସି ବ୍ୟାନ ମଧ୍ୟ ଲଗାଇ ପାରେ । କାରଣ ଆଇସିସି ଦ୍ୱାରା ଆୟୋଜିତ ହେଉଥିବା ସମସ୍ତ ପ୍ରତିଯୋଗିତାରେ ଆଇସିସିର ସମସ୍ତ ଦେଶ ଭାଗ ନେବା ବାଧ୍ୟତାମୂଳକ । ବିଶ୍ୱକପକୁ ବୟକଟ କଲେ ପାକିସ୍ତାନ ଏକଘରିକିଆ ହୋଇଯିବାର ପୂର୍ଣ୍ଣ ସମ୍ଭାବନା ରହିଛି।
ଅଧିକ ଖବର ପଢ଼ନ୍ତୁ: ଓ୍ବାର୍ଲ୍ଡକପକୁ ବୟକଟ କରିବାକୁ ପାକିସ୍ତାନ କ୍ରୀଡାମନ୍ତ୍ରୀଙ୍କ ଚେତାବନୀ
ଯଦି ପାକିସ୍ତାନ ବିଶ୍ୱକପ କ୍ରିକେଟ ନ ଖେଳେ ତେବେ ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ମଧ୍ୟ ବାଧାପ୍ରାପ୍ତ ହେବ। କାରଣ ଭାରତ ମଧ୍ୟ ସେଠାକୁ ଖେଳିବାକୁ ଯିବ ନାହିଁ । ଆଇସିସିର 80 ପ୍ରତିଶତ ଆୟ ଭାରତୀୟ ଦର୍ଶକ ମାନଙ୍କ ଠାରୁ ଆସିଥାଏ।