ଭୁବନେଶ୍ଵର: ଅନ୍ତର୍ଜାତୀୟ ଦିବ୍ୟାଙ୍ଗ କ୍ରିକେଟର ବଳରାମ ବସ୍ତିଆଙ୍କୁ ସାମାଜ ସେବୀ ସୁଜାତା ଜେନା କ୍ରିକେଟ ଉପକରଣ ପ୍ରଦାନ କରିଛନ୍ତି। ବଳରାମ ଓଡିଶା ଦିବ୍ୟାଙ୍ଗ କ୍ରିକେଟ ଟିମରେ ବ୍ୟାଟ୍ସମ୍ୟାନ ଏବଂ ୱିକେଟ୍ ରକ୍ଷକ। ସେ ଜାତୀୟ ସ୍ତରରେ ଉତ୍ତମ କ୍ରୀଡା ପ୍ରଦର୍ଶନ କରି ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ସେ ଆଫଗାନିସ୍ଥାନ ସହିତ ଦିନିକିଆ ମ୍ୟାଚ ଖେଳିଛନ୍ତି। କିନ୍ତୁ ସେ ପେସାରେ ଜଣେ ଅଟୋ ଡ୍ରାଇଭର। ଅଟୋ ଚଳାଇ ଯାହା ରୋଜଗାର କରନ୍ତି ସେଥିରେ କ୍ରୀଡା ଉପକରଣ କିଣିବା ସମ୍ଭବ ହେଉନି ବୋଲି ବଳରାମ କୁହନ୍ତି।
ଆଗକୁ ବିଶ୍ଵକପ ଥିବାରୁ ସେ ଭାରତୀୟ ଦଳରେ ସାମିଲ ହେବା ପାଇଁ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି। ସେ ଭୁବନେଶ୍ଵର ସ୍ଥିତ ପାରାମାଉଣ୍ଟ ସ୍ପୋର୍ଟିଙ୍ଗରେ ଅଭ୍ୟାସ କରନ୍ତି। ସୁଜାତା ଜେନାଙ୍କ ଭଳି ଅନ୍ୟମାନେ ଯଦି ଏହିପରି ଖେଳାଳିଙ୍କୁ ସାହାଯ୍ୟ କରନ୍ତି ତାହେଲେ ଓଡିଶାରୁ ଆହୁରି ଅନେକ ପ୍ରତିଭା ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିପାରିବେ ବୋଲି ଓଡିଶା ଦିବ୍ୟlଙ୍ଗ କ୍ରିକେଟ ଅଧିନାୟକ ରାଖାଲ୍ କୁମାର ସେଠୀ କହିଛନ୍ତି। ଓଡିଶା ଦିବ୍ୟାଙ୍ଗ କ୍ରିକେଟ ଆସୋସିଏସନର ସମ୍ପାଦିକା ନମିତା ସାହୁ ଏବଂ ସଭାପତି କମଳା କାନ୍ତ ରଥ ବଳରାମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।