ସ୍ୱାମୀ ଶ୍ରଦ୍ଧାନନ୍ଦ ଆର୍ଯ୍ୟ ସମାଜ ସହ ଜଡିତ ସାଧୁ ଥିଲେ । ସେତେବେଳେ ଆର୍ଯ୍ୟ ସମାଜର ଗୋଟିଏ ବର୍ଗ ଇଂରାଜୀ ମାଧ୍ୟମରେ ବେଦାଦି ଅଧ୍ୟୟନ ଉପରେ ଜୋର ଦେବାକୁ ଯାଇ ଆଂଲୋ ବେଦିକ ଶିକ୍ଷା ପ୍ରଦାନ କରିବା ଦିଗରେ କାମ କରୁଥିଲେ । ହେଲେ ସ୍ୱାମୀ ଶ୍ରଦ୍ଧାନନ୍ଦ ଏଥିରେ ଏକ ମତ ନଥିଲେ । ସେ ଆଂଲୋ ଶିକ୍ଷା ମାଧ୍ୟମରେ ନୁହେଁ ବରଂ ଗୁରୁକୁଳ ମାଧ୍ୟମରେ ଶିକ୍ଷା ପ୍ରଦାନ କରିବା ଦ୍ୱାରା ହିଁ ଭାରତୀୟ ସଭ୍ୟତା ଓ ସଂସ୍କୃତିର ରକ୍ଷା କରା ଯାଇ ପାରିବ ବୋଲି ମତ ଦେଇଥିଲେ । କେବଳ ସେତିକି ନୁହେଁ ବୈଦିକ ଗୁରୁକୁଳ ପଦ୍ଧତିରେ ଶିକ୍ଷା ଦାନ ପାଇଁ ସେ ହରିଦ୍ୱାର ଠାରେ ଏକ ଶିକ୍ଷାନୁଷ୍ଠାନ ଆରମ୍ଭ କରିଥିଲେ ଯାହା ଆଜି ତାରିଖରେ ଗୁରୁକୁଳ କାଙ୍ଗଡି ବିଶ୍ୱବିଦ୍ୟାଳୟ ନାମରେ ପରିଚିତ ।
ସ୍ୱାମୀ ଶ୍ରଦ୍ଧାନନ୍ଦ ମହାତ୍ନା ଗାନ୍ଧୀଙ୍କ କହିବା ଅନୁସାରେ ଖିଲାଫତ ଆନ୍ଦୋଳନରେ ସାମିଲ ହୋଇଥିଲେ । ସେ ହିନ୍ଦୁ- ମୁସଲମାନଙ୍କ ମଧ୍ୟରେ ଏକତା ସ୍ଥାପିତ କରିବା ଓ ଇଂରେଜମାନଙ୍କୁ ମିଳିତ ଭାବେ ଦେଶରୁ ହଟାଇବା ପାଇଁ ଖିଲାଫତ ଆନ୍ଦୋଳନରେ ଜୋର ସୋରରେ ଭାଗ ନେଇଥିଲେ । ଦିଲ୍ଲୀର ଜାମା ମସଜିଦର ପ୍ରାଙ୍ଗଣରେ ହିନ୍ଦୁ ଓ ମୁସଲମାନ ମାନଙ୍କ ମଧ୍ୟରେ ତାଙ୍କର ଓଜସ୍ୱୀ ଭାଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା । ଖିଲାଫତ ଆନ୍ଦୋଳନରେ ହିନ୍ଦୁ ମାନଙ୍କର ସାମିଲ ହେବା ଦେଶ ପ୍ରତି ଏକ ବିରାଟ ଭୁଲ ଥିଲା, ଯାହା ପରବର୍ତ୍ତୀ ସମୟରେ ପ୍ରମାଣିତ ହୋଇଥିଲା ।
ଯେପରିକି ଉପରେ ଉଲ୍ଲେଖ କରାଯାଇଛି ଯେ ସ୍ୱାମୀ ଶ୍ରଦ୍ଧାନନ୍ଦ ଖିଲାଫତ ଆନ୍ଦୋଳନର ଶୀର୍ଷସ୍ଥ ନେତା ଥିଲେ । ଖିଲାଫତ ଆନ୍ଦୋଳନ ସମୟରେ ଇଂରେଜମାନେ ତାଙ୍କୁ ଡରି ଜେଲରେ ଭର୍ତ୍ତି କରି ଦେଇଥିଲେ । ସେ କାରାଗାରରୁ ମୁକ୍ତ ହେବା ପରେ ଦେଖିଲେ ଯେ ମୁସଲମାନମାନେ ହିନ୍ଦୁ ମାନଙ୍କର ଧର୍ମାନ୍ତରୀକରଣ କରିବାରେ ଲାଗିଛନ୍ତି । ସବୁ ଆଡେ ହିନ୍ଦୁ ମାନଙ୍କୁ ହଇରାଣ ହରକତ କରାଯାଉଛି । ସେତେବେଳେ ମୁସଲିମ ମୌଲବୀ ଓ ମୁଲ୍ଲାମାନଙ୍କ ଦ୍ୱାରା କରା ଯାଉଥିବା ଏହି ଧର୍ମାନ୍ତରୀକରଣ ଅଭିଯାନ ଯେପରି ଭାବେ ଦୃତ ଗତିରେ ଚାଲିଥିଲା ତାର ଉଲ୍ଲେଖ ଓ ଭୁରି ଭୁରି ପ୍ରଶଂସା ମୁସଲମାନ ନେତା ଡ. ଅବଦୁଲ୍ଲା ସୁହରବାର୍ତ୍ତୀ କରିଥିଲେ ।
ସେ ଲେଖିଥିଲେ – “ଧର୍ମାନ୍ତରୀକରଣର କ୍ରମ ଯାହା ଭାରତରେ ଇସଲାମୀ ଶାସନର ସମାପ୍ତି ପରେ ନୂଆ ଶକ୍ତି, ସ୍ଫୁର୍ତି ଓ ପ୍ରେରଣା ଅର୍ଜିତ କରିଛି, ଦାହା ବିନା କୌଣସି ପ୍ରତିବନ୍ଧକରେ ଚାଲିଛି । ପ୍ରତି ବର୍ଷ ଇସଲାମରେ ଧର୍ମାନ୍ତରିତ ହୋଇ ଲୋକମାନେ ଆସୁଛନ୍ତି । ସେମାନେ ତଥା ସେମାନଙ୍କ ପୂର୍ବରୁ ଧର୍ମାନ୍ତରିତ ହୋଇଥିବା ଲୋକ ମାନଙ୍କର ବଂଶଜ ମାନେ ସର୍ବାଧିକ ଉତ୍ସାହୀ, ଅନୁଗାମୀ ଓ ସମର୍ଥକ ଅଟନ୍ତି । ସେମାନେ ହଜାର ହଜାର ସଂଖ୍ୟାରେ ମକ୍କା ପହଂଚୁଛନ୍ତି ଯାହା ହେଉଛି ଇସଲାମର ଗଡ ଓ ଜନ୍ମ ଭୂମି । ବାର୍ଷିକ ‘ହଜ’ ର ଅନୁଶାସନର ଗରମ ଭାଟିରେ ସେକି ହୋଇ ଶୁଦ୍ଧ ଓ ପବିତ୍ର ହୋଇ ଭାରତ ଫେରନ୍ତି । ଆରବ ଦେଶର ରୀତି ନୀତି ଓ ପରମ୍ପରାକୁ ନିଜର ବୋଲି କରିବା ପରେ ସେମାନେ ଏଠାକାର ହିନ୍ଦୁ ମାନଙ୍କ ଠାରୁ ଭିନ୍ନ ବୋଲି ଦେଖାଯାଆନ୍ତି ।”
ସେତେବେଳର ଏହି ବ୍ୟାପକ ସଂଖ୍ୟାରେ ହେଉଥିବା ଧର୍ମାନ୍ତରୀକରଣକୁ ନେଇ ସ୍ୱାମୀ ଶ୍ରଦ୍ଧାନନ୍ଦ ବଡ ଦୁଃଖୀ ହେଲେ । ସେ ଅନୁଭବ କଲେ ଯେ ଯଦି ହିନ୍ଦୁ ମାନଙ୍କର ଧର୍ମାନ୍ତରୀକରଣର ଏହି ବନ୍ୟାକୁ ରୋକିବା ପାଇଁ କଠୋର ପଦକ୍ଷେପ ନିଆ ନ ଯାଏ ତେବେ ଅନର୍ଥ ହୋଇ ଯିବ । ତେଣୁ ସେ ଧର୍ମାନ୍ତରିତ ହୋଇଥିବା ଲୋକ ମାନଙ୍କ ପାଇଁ ପୁଣି ଥରେ ହିନ୍ଦୁତ୍ୱକୁ ଫେରାଇ ଆଣିବା ପାଇଁ ଏକ ଆନ୍ଦୋଳନ ଆରମ୍ଭ କଲେ ଯାହା ଶୁଦ୍ଧି ଆନ୍ଦୋଳନ ନାମରେ ପରିଚିତ । ତାଙ୍କର ଓଜସ୍ୱୀ ବାଣୀ, ଆଦମ୍ୟ ସାହସ, ସନ୍ଥ ସ୍ୱଭାବ କାରଣରୁ ହଜାର ହଜାର ଲୋକ ଯେଉଁ ମାନେ ଧମକ, ଚାପ କିମ୍ବା ପ୍ରଲୋଭନର ଶୀକାର ହୋଇ ମୁସଲମାନ ହୋଇ ଯାଇଥିଲେ ସେମାନେ ପୁଣି ଥରେ ହିନ୍ଦୁ ହେବାକୁ ଲାଗିଲେ । ୧୯୨୩ ମସିହାରେ ଜୁନ ମାସ ଯାଏ କେବଳ ତତ୍କାଳୀନ ୟୁନାଇଟେଡ ପ୍ରଭିନ୍ସରୁ ୧୮ ହଜାରରୁ ଅଧିକ ଲୋକ ପୁଣି ଥରେ ଘର ବାହୁଡା କଲେ । ଧର୍ମାନ୍ତରୀକରଣରେ ଲିପ୍ତ ଥିବା ମୁସଲମାନ ମୁଲ୍ଲା ମାନଙ୍କୁ ଲାଗିଲା ଯେ ତାଙ୍କ ପାଦ ତଳୁ ମାଟି ଖସି ଯାଉଛି ଓ ସେମାନେ ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କୁ ନିନ୍ଦା କରିବାରେ ଲାଗିଲେ ।
ସେମାନଙ୍କର ସିଧା ତର୍କ ଥିଲା ଯେ ତବଲିଗ ଅର୍ଥାତ ଇସଲାମରେ ମତାନ୍ତରଣ ଏକ ରିଲିଜିୟସ ଦାୟିତ୍ୱ ଓ ଏପରି କରିବାର ଅଧିକାର ଆଉ କାହାରି ନାହିଁ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ସେତେବେଳର କିଛି କଂଗ୍ରେସ ନେତା ମଧ୍ୟ ଏହି ମୁଲ୍ଲାମାନଙ୍କ କଥାକୁ ସମର୍ଥନ କରି ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କ ଶୁଦ୍ଧି ଆନ୍ଦୋଳନକୁ ନିନ୍ଦା କରିବାରେ ଲାଗିଲେ । ଯେଉଁ ମୁସଲମାନ ମାନେ କେବେ ଖିଲାଫତ ଆନ୍ଦୋଳନ ସମୟରେ ମସଜିଦର ପ୍ରାଙ୍ଗଣରେ ସ୍ୱାମୀଜୀଙ୍କର ଭାରୀ ସ୍ୱାଗତ ଓ ପ୍ରଶଂସା କରୁଥିଲେ ସେହିମାନେ ଏବେ ସ୍ୱାମୀଜୀଙ୍କୁ ଶତ୍ରୁ ବୋଲି ଭାବିବା ଆରମ୍ଭ କରି ଦେଲେ । ଏହାର କାରଣ ସ୍ପଷ୍ଟ ଥିଲା ଯେ ଏହି ଘର ବାହୁଡା ପ୍ରକ୍ରିୟା ଯଦି ଜୋର ଧରେ ତେବେ ହିନ୍ଦୁ ଧର୍ମ ଛାଡି ମୁସଲମାନ ହେବାର ପ୍ରକ୍ରିୟା ଯାହା ଏକ ହଜାର ବର୍ଷ ଧରି ଗୋଟିଏ ଦିଗରେ ଅଖଣ୍ଡ ପ୍ରବାହର ସହ ଚାଲି ଆସୁଥିଲା ତାହା ସବୁ ଦିନ ପାଇଁ ଅଟକି ଯାଆନ୍ତା । ଏହାର ଓଲଟା ଧାରା ମଧ୍ୟ ଆରମ୍ଭ ହେବାର ସମ୍ଭାବନା ଥିଲା ।
ସେତେବେଳ ଯାଏ ହିନ୍ଦୁ ମାନେ ନିଜ ଆଡୁ ହିଁ ନିଜର ଦ୍ୱାର ହିନ୍ଦୁ ଧର୍ମ ଛାଡି ଧର୍ମାନ୍ତରିତ ହୋଇ ଯାଇଥିବା ଲୋକ ମାନଙ୍କ ପାଇଁ ବନ୍ଦ କରି ରଖିଥିଲେ । ହେଲେ ସ୍ୱାମୀ ଶ୍ରଦ୍ଧାନନ୍ଦ ଏଥର ଏହି ଦ୍ୱାର ଖୋଲି ଦେଇଥିଲେ । କେବଳ ସେତିକି ନୁହେ ତାଙ୍କର ବ୍ୟକ୍ତିତ୍ୱ କାରଣରୁ ତାଙ୍କୁ ଘର ବାହୁଡା କରାଇବାରେ ବିପୁଳ ସଫଳତା ମିଳୁଥିଲା । ଯଦି ଏହି ଧାରାକୁ ଚାଲିବାକୁ ଦିଆ ଯିବ ତେବେ ତାଙ୍କର ଏକ ହଜାର ବର୍ଷର ଯୋଜନା ବିଫଳ ହେବାର ସମ୍ଭାବନା ଥିଲା ବୋଲି ମୁଲ୍ଲା ମାନଙ୍କୁ ଲାଗୁଥିଲା ।
ଶୁଦ୍ଧି ଆନ୍ଦୋଳନ ଖୁବ ଜୋର ସୋରରେ ଚାଲିଥିଲା । ସେପଟେ ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କ ଶରୀର ଧୀରେ ଧୀରେ ରୁଗ୍ଣ ହେବାରେ ଲାଗିଥିଲା । ୧୯୨୬ ମସିହା ଡିସେମ୍ବର ମାସ ୨୩ ତାରିଖ ଦିନ ସେ ତାଙ୍କ କକ୍ଷରେ ବିଶ୍ରାମ କରୁଥିଲେ । ସେତେବେଳେ ଅବଦୁଲ ରସିଦ ନାମକ ଜଣେ ବ୍ୟକ୍ତି ତାଙ୍କୁ ସାକ୍ଷାତ କରିବାକୁ ଆସିଲା । ସେ ପିଇବା ପାଇଁ ପାଣି ମାଗିଲା ଓ ସେଠାରେ ଉପସ୍ଥିତ ଥିବା ସେବକ ଜଣଙ୍କ ପାଣି ଆଣିବାକୁ ଗଲା ମାତ୍ରେ ରସିଦ ନିଜର ରିଭଲଭରରୁ ଗୁଳି ଚଳାଇଥିଲା । ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କ ଶରୀର ରକ୍ତ ଜୁଡୁବୁଡୁ ହୋଇ ଯାଇଥିଲା ଓ ସେ ବିଛଣାରେ ହିଁ ପରଲୋକ ଗମନ କରିଥିଲେ ।
ପରେ ଏହି ରସିଦ ଜଣଙ୍କ ଧରା ପଡିଥିଲା । ତା ବିରୁଦ୍ଧରେ ନ୍ୟାୟାଳୟରେ ମାମଲା ଚାଲିଥିଲା । ମୁସଲମାନ ମାନେ ତାକୁ ଆଇନଗତ ସହାୟତା ଦେବାକୁ ଚାନ୍ଦା ଏକତ୍ରିତ କରିଥିଲେ । ଶେଷରେ ତାର ଦୋଷ ସିଦ୍ଧ ହେଲା ଓ ତାକୁ ଫାସୀ ହେଲା । ତାର ଶବ ଯାତ୍ରାରେ ପଚାଶ ହଜାରରୁ ଅଧିକ ମୁସଲମାନ ସାମିଲ ହୋଇଥିଲେ । ସେ ଜଣେ ମହାନ ହିନ୍ଦୁ ସନ୍ଥଙ୍କୁ ହତ୍ୟା କରିଥିଲା, ଏହା ସତ୍ୱେ ତାର ଶବ ଯାତ୍ରାରେ ଏତେ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ । ଏହି ଘଟଣାରେ ମହାତ୍ମା ଗାନ୍ଧୀଙ୍କର ପ୍ରତିକ୍ରିୟା ମଧ୍ୟ ଅଜବ ଥିଲା । ସେ ରଶିଦକୁ ଭାଇ ବୋଲି କହିବା ସହ ଏଥି ପାଇଁ ସେ ଦାୟୀ ନୁହେଁ ବରଂ ପରସ୍ପର ମଧ୍ୟରେ ଘୃଣା ଭାବ ବଢାଉଥିବା ଲୋକ ମାନେ ଦାୟୀ ବୋଲି କହିଥିଲେ । ଏହା ଉପରେ ଆଉ କେବେ ଆଲୋଚନା କରା ଯାଇ ପାରେ । ହେଲେ ଧର୍ମ ଓ ସଂସ୍କୃତି ପାଇଁ ବଳିଦାନ ଦେଇଥିବା ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କ ଠାରୁ ଭାରତୀୟ ମାନେ ପ୍ରେରଣା ନେବା ଉଚିତ ।
ସିଧା କଥା ଖବର ଆହୁରି ପଢନ୍ତୁ