
୧୯୮୯ -୯୦ ମସିହାର କଥା । କାଶ୍ମୀର ଉପତ୍ୟକାର ସମସ୍ତ ମସଜିଦରୁ ଲାଉଡ ସ୍ପିକର ଜରିଆରେ ସେଠାକାର ମୂଳ ନିବାସୀ କାଶ୍ମୀରୀ ପଣ୍ଡିତ (ହିନ୍ଦୁ) ମାନଙ୍କୁ କାଶ୍ମୀର ଛାଡି ଚାଲି ଯିବାକୁ ଘୋଷଣା କରା ଯାଉଥିଲା ।
କାଶ୍ମୀରର ରାଜ ରାସ୍ତାରେ ସ୍ଲୋଗାନ ମାନ ଦିଆ ଯାଉଥିଲା
ୟହାଁ କ୍ୟା ଚଲେଗା, ନିଜାମ-ଏ- ମୁସ୍ତଫା, ନିଜାମ-ଏ- ମୁସ୍ତଫା ଲା ସରକିୟା, ଲା ଗାର୍ବିଆ, ଇସଲାମିଆ - ଇସଲାମିଆ
କାଶ୍ମୀର ମେଁ ରହନା ହୋଗା, ଅଲ୍ଲାହୁ ଅକବର କହନା ହୋଗା
ଦିଲ ମେଁ ଆଲ୍ଲାହ କା ଖୌଫ, ହାଥ ମେଁ କଲସନିକଭ
କାଶ୍ମୀର ଉପତ୍ୟକାରେ ଆହୁରି ନାରା ଦିଆ ଯାଉଥିଲା
ଏ ଜାଲିମୋଁ, ଏ କାଫିରୋଁ, କାଶ୍ମୀର ହମାରା ଛୋଡ ଦୋ
ମୁସଲମାନ ହମାରା ମକସଦ ହେ, କୁରାନ ହମାରା ଦସ୍ତୁର ହୈ, ଜିହାଦ ହମାରା ରାସ୍ତା ହୈ
ପାକିସ୍ତାନ ସେ କ୍ୟା ରିସ୍ତା, ଲା ଇଲାହା ଇଲ୍ଲଲ୍ଲାହ
ପିପୁଲ୍ସ ଲିଗ କା କ୍ୟା ପୈଗାମ, ଫତେହ, ଆଜାଦୀ ଔର ଇସଲାମ
ହିନ୍ଦୁ ମାନଙ୍କର ଝିଅ ବୋହୁ ମାନଙ୍କୁ ଛାଡି ଚାଲି ଯିବାକୁ ଘୋଷଣା ମସଜିଦରୁ କରା ଯାଉଥିଲା ।
ଗୋଟିଏ ଗୋଟିଏ ହିନ୍ଦୁ ଘର ସାମନାରେ ପୋଷ୍ଟର ଲଗାଇ ଦିଆ ଯାଇଥିଲା ଓ ଘର ଛାଡି ଚାଲି ଯିବାକୁ କୁହା ଯାଇଥିଲା ।
କାଶ୍ମୀରର ହିନ୍ଦୁ ମହିଳା ମାନଙ୍କ ସହ ଦୁଷ୍କର୍ମ ହେଉଥିଲା ।
କାଶ୍ମୀରୀ ପଣ୍ଡିତ ନେତା ମାନଙ୍କୁ ମୁଖ୍ୟ ଛକରେ ହତ୍ୟା କରା ଯାଉଥିଲା ଓ ସେମାନଙ୍କୁ ବଂଚାଇବା ପାଇଁ କେହି ଆସୁ ନଥିଲେ ।
ଲକ୍ଷ ଲକ୍ଷ କାଶ୍ମୀରୀ ପଣ୍ଡିତ ସେମାନଙ୍କର ଭିଟା ମାଟି ଛାଡି ସବୁ କିଛି ଛାଡି ଦେଶର ଅନ୍ୟ ଭାଗକୁ ପଳାୟନ କରିଥିଲେ ।
ଏ ସବୁ ହେଉଥିଲା । ସମସ୍ତେ ଚୁପ ରହିଥିଲେ । ଦେଶରେ ସରକାର ଥିଲା, ରାଜନୈତିକ ଦଳ ମାନେ ଥିଲେ । ଦେଶରେ ନ୍ୟାୟପାଳିକା ଥିଲା । ଏହା ସତ୍ୱେ ଭାରତର ଲୋକ ମାନେ ନିଜର ଭିଟା ମାଟି ଛାଡି ବିଭିନ୍ନ ସ୍ଥାନରେ ରିଫ୍ୟୁଜି କ୍ୟାମ୍ପରେ ରହିବାକୁ ବାଧ୍ୟ ହୋଇଥିଲେ ।
ଆଜି ଏହି ଘଟଣାକୁ 32 ବର୍ଷ ବିତି ସାରିଲାଣି । ଏଗୁଡିକ ମଧ୍ୟରୁ ଗୋଟିଏ ହେଲେ ମାମଲାରେ ଦୋଷୀ ମାନଙ୍କୁ ଦଣ୍ଡ ମିଳି ନାହିଁ । କାଶ୍ମୀରୀ ପଣ୍ଡିତ ମାନଙ୍କ ବିଷୟରେ ଅବଶିଷ୍ଟ ଭାରତର ଲୋକ ମାନେ ବିଶେଷ କିଛି ଜାଣନ୍ତି ନାହିଁ। ସେମାନେ କିଭଳି ଭାବେ ଅମାନବୀୟ ଅତ୍ୟାଚାରର ଶୀକାର ହୋଇଛନ୍ତି, କିଭଳି ମହିଳା ମାନଙ୍କ ସହ ଦୁଷ୍କର୍ମ କରାଯାଇଛି ତାର ସାମାନ୍ୟତମ ସୂଚନା ମଧ୍ୟ ଅଧିକାଂଶ ଭାରତୀୟଙ୍କ ନିକଟରେ ନାହିଁ।
ଏହି ଘଟଣାବଳୀକୁ ନେଇ ବିଶେଷଭାବରେ କାଶ୍ମୀରୀ ପଣ୍ଡିତ ମାନଙ୍କ ସହ ଘଟିଥିବା ଘଟଣାକୁ ନେଇ ଗୋଟିଏ ହେଲେ ସିନେମା ତିଆରି ହୋଇ ନାହିଁ । ତେବେ ପ୍ରଥମ ଥର ପାଇଁ ବିଶିଷ୍ଟ ନିର୍ଦେଶକ ବିବେକ ରଂଜନ ଅଗ୍ନିହୋତ୍ରୀ ଏହି ଘଟଣାବଳୀକୁ ନେଇ ଫିଲ୍ମ ତିଆରି କରିଛନ୍ତି । ସେ ଏହି ଫିଲ୍ମକୁ ତିଆରି କରିବାକୁ ସାରା ବିଶ୍ବରେ ଥିବା ଓ ଏହି ଘଟଣାର ଭୁକ୍ତଭୋଗୀ ଥିବା କାଶ୍ମୀରୀ ପଣ୍ଡିତ ମାନଙ୍କର ଅନ କ୍ୟାମେରା ରେକର୍ଡିଂ କରି ସାକ୍ଷାତକାର ନେଇଛନ୍ତି । ଦୀର୍ଘ ଦିନର ରିସର୍ଚ ପରେ ସେ ଏହି କାଶ୍ମୀର ଫାଇଲ୍ସ ସିନେମା ତିଆରି କରିଛନ୍ତି ।
ଭାରତର ଏକ ବର୍ଗ ରହିଛି ଯେଉଁ ମାନେ କାଶ୍ମୀରୀ ହିନ୍ଦୁ ମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାର ସମ୍ପର୍କରେ ଲୋକ ମାନେ କିପରି କିଛି ନ ଜାଣନ୍ତୁ ଓ ଏହା ଉପରେ ପର୍ଦା ପଡିଥାଉ ତାହା ଚାହାନ୍ତି ।
ତେଣୁ ଏହି ଭଳି ଲେଫ୍ଟ ଲିବେରାଲ ଓ କଟ୍ଟରପନ୍ଥୀ ଇସଲାମିଷ୍ଟ ମାନଙ୍କୁ ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମକୁ ନେଇ ପେଟରେ ବ୍ୟଥା ହେବା ଆରମ୍ଭ କଲାଣି ।
ବିବେକ ଅଗ୍ନିହୋତ୍ରୀ ଏହା ପୂର୍ବରୁ ମଧ୍ୟ ଭାରତର ସହରୀ ନକ୍ସଲମାନଙ୍କ ଉପରେ ଫିଲ୍ମ ବୁଦ୍ଧ ଇନ ଟ୍ରାଫିକ ଜାମ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ଉପରେ ଫିଲ୍ମ ତାସକେଂଟ ଫାଇଲ୍ସ ତିଆରି କରି ଏହି ଲେଫ୍ଟ ଲିବେରାଲ ମାନଙ୍କର ଟାର୍ଗେଟରେ ଆସି ସାରିଛନ୍ତି ।
ଏହି ଫିଲ୍ମକୁ ନେଇ ଲେଫ୍ଟ ଲିବେରାଲ ଓ ଇସଲାମିଷ୍ଟଙ୍କ ମଧ୍ୟରେ କେତେ ଭୟ ଥିଲା ତାହା ଏହି କଥାରୁ ବୁଝା ଯାଇ ପାରେ ଯେ ବିବେକ ଅଗ୍ନିହୋତ୍ରୀଙ୍କୁ ଏହି ଫିଲ୍ମକୁ ରିଲିଜ ହେବାକୁ ନ ଦେବା ପାଇଁ ବାରମ୍ବାର ଧମକ ଦିଆଯାଇଥିଲା । ଏହି ଫିଲ୍ମକୁ ରିଲିଜ କଲେ ତାଙ୍କୁ ଜୀବନରେ ମାରି ଦିଆଯିବ ବୋଲି ତାଙ୍କୁ ଫୋନ ମାଧ୍ୟମରେ ଧମକ ଦିଆଯାଇଥିଲା ।
ଇସଲାମୀ କଟ୍ଟରପନ୍ଥୀ ମାନେ ଚାହୁଁ ନାହାନ୍ତି ଯେ ଏହି ଫିଲ୍ମଟି ରିଲିଜ ହେଉ । ତେଣୁ ସେମାନେ ଫୋନ କରି ଏହାର ରିଲିଜକୁ ବନ୍ଦ କରିବାକୁ ଧମକ ଦେଉଛନ୍ତି । ଭାରତରେ ରିଲିଜ ହେବା ପୂର୍ବରୁ ଫିଲ୍ମର ଆମେରିକାରେ ସ୍କ୍ନିନିଂ ହୋଇଥିଲା ।ଆମେରିକାରେ ଏହି ଫିଲ୍ମର ସ୍କ୍ରିନିଂ କରିବା ବେଳେ ମଧ୍ୟ ତାଙ୍କ ନିକଟକୁ ଏପରି ଧମକପୂର୍ଣ ଫୋନ କଲ ଆସିଥିଲା । ମାତ୍ର ସେ ଏହାକୁ ଭୃକ୍ଷେପ କରି ନ ଥିଲେ । ଏବେ ଭାରତର ସିନେମା ହଲରେ ରିଲିଜ ହେବା ପାଇଁ ସମୟ ପାଖେଇବା ମାତ୍ରେ ତାଙ୍କୁ ଧମକ ମଧ୍ୟ ବଢିବାରେ ଲାଗିଥିଲା । ତେବେ ବିବେକ ଅଗ୍ନିହୋତ୍ରୀ ସ୍ପଷ୍ଟ କରିଛନ୍ତି ଯେ ତାଙ୍କୁ କେହି ଚୁପ କରାଇ ପାରିବେ ନାହିଁ ।
କିଛି ଦିନ ପୂର୍ବେ ଯେତେବେଳେ ଏହି ଫିଲ୍ମର ଟ୍ରେଲର ରିଲିଜ ହେଲା ସେତେବେଳେ ମଧ୍ୟ ଫିଲ୍ମକୁ ଟାର୍ଗେଟ କରାଯାଇଥିଲା । ଏହି ଫିଲ୍ମର ଟ୍ରେଲରର ଆରମ୍ଭ ମୁସଲମାନ ମାନଙ୍କର ଏକ ସଭାରୁ ହୋଇଛି ଯେଉଁଥିରେ ମୁସଲମାନ ମାନେ ଜାଗୋ ଭଳି ସ୍ଲୋଗାନ କାନ୍ଥରେ ଲେଖା ଯାଇଥିବା ଦେଖିବାକୁ ମିଳୁଛି ଓ ତାର ନେତା ସେଠାରେ ଉପସ୍ଥିତ ଲୋକ ମାନଙ୍କ ସଂଖ୍ୟ ଗଣୁଥାଏ । ଜଣେ ମୁସଲମାନ କାଶ୍ମୀରୀ ନେତା ଅନ୍ୟ ଏକ ଦୃଶ୍ୟରେ କହୁଛି ଯେ ସେ 20-25 କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରିଛି। ପଚାରିବା ପରେ ସେ କହୁଛି ସେ ସେମାନଙ୍କର କହିବା ପରେ ସେ ନିଜର ଭାଇ ଓ ମା କୁ ମଧ୍ୟ ହତ୍ୟା କରି ପାରେ । ଫିଲ୍ମରେ ମିଥୁନ ଚକ୍ରବର୍ତୀ କହୁଛନ୍ତି ଯେ ଏହାକୁ ପଳାୟନ ନୁହେଁ ନରସଂହାର କୁହନ୍ତୁ ।
ଅନ୍ୟ ପକ୍ଷରେ ଏହି ଫିଲ୍ମରେ ଅନୁପମ ଖେର ଏକ ପୀଡିତ କାଶ୍ମୀରୀ ପଣ୍ଡିତର ଭୂମିକାରେ ଅଭିନୟ କରିଛନ୍ତି, ଯାହାଙ୍କୁ ମୁସଲମାନ ମାନେ ଘର ଛାଡିବାକୁ ଅଲଟିମେଟମ ଦେଇଛନ୍ତି ।
ଜଣେ ମୁସଲମାନ କହୁଥିବାର ଦେଖା ଯାଉଛି, ଯେ କାଶ୍ମୀରୀ ପଣ୍ଡିତ ମାନଙ୍କୁ କେହି ବିତାଡିତ କରି ନାହାନ୍ତି ବରଂ ସ୍ବୟଂ ରାଜ୍ୟପାଳ (ଜଗମୋହନ)ଙ୍କ ସହ ମିଶି ସେମାନେ କାଶ୍ମୀରରୁ ପଳାୟନ କରିଛନ୍ତି।
ଯେଉଁଠାରେ ଶିବ- ସରସ୍ୱତୀ ଓ ଋଷି କାଶ୍ୟପ ହୋଇଥିଲେ, ଯେଉଁଠାରେ ପଂଚତନ୍ତ୍ର ଲେଖା ଯାଇଥିଲା, ସେହି କାଶ୍ମୀର ଆମର ବୋଲି ଅନୁପମ ଖେରଙ୍କୁ କହୁଥିବା ଟ୍ରେଲରରେ ଦେଖାଯାଉଛି ।
ଫିଲ୍ମରେ କାଶ୍ମୀରକୁ ନେଇ ହେଉଥିବା ରାଜନୀତି ଓ ଆଜାଦୀର ନାରାବାଜୀ ଆଦିକୁ ମଧ୍ୟ ଭଲ ଭାବେ ଦେଖାଯାଇଛି ।
ଟ୍ରେଲରରେ ଅନୁପମ ଖେରଙ୍କ ଏକ ଡାଇଲଗ ରହିଛି ଯେଉଁଥିରେ ସେ କହୁଛନ୍ତି ଯେ ଆଜାଦୀ ଇଜ ଦି ସଙ୍ଗ ଅଫ ଟେରୋରିଜମ । ଏତେ ଅତ୍ୟାଚାର ଓ ନିର୍ଯାତନା ସତ୍ବେ କାଶ୍ମୀରୀ ହିନ୍ଦୁ ପଣ୍ଡିତ ମାନେ କେବେ ହେଲେ ବନ୍ଧୁକ ଉଠାଇ ନ ଥିବା ବିଷୟକୁ ମଧ୍ୟ ଫିଲ୍ମରେ ଦର୍ଶାଯାଇଛି ।
ଭାରତ ବିରୋଧୀ ଶକ୍ତି ମାନଙ୍କର ବଲିଉଡ ଉପରେ ନିୟନ୍ତ୍ରଣ ରହିଛି। ସେମାନେ ମଧ୍ୟ ଏହି ଫିଲ୍ମ କିପରି ଚାଲି ପାରିବ ନାହିଁ ସେ ସମ୍ପର୍କରେ ପ୍ରଚେଷ୍ଟା ଆରମ୍ଭ କରି ଦେଇଛନ୍ତି । ଏନଡିଟିଭି ପରି ଟେଲିଭିଜନ ଚାନେଲ ଏହି ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମକୁ ପ୍ରପାଗଣ୍ଡା ଫିଲ୍ମ ବୋଲି ପ୍ରଚାରିତ କରୁଛି । ବିଭିନ୍ନ ସ୍ଥାନରେ ରିଭ୍ୟୁ ଲେଖା ଯାଇ ଏହି ଫିଲ୍ମକୁ ପ୍ରଚାର ଫିଲ୍ମ ବୋଲି କୁହାଯାଉଛି ।
ଏ ସବୁ ସତ୍ୱେ ସେମାନେ ସଫଳ ହୋଇ ପାରି ନାହାନ୍ତି । ତେଣୁ ଏହି ଶକ୍ତି ମାନେ ଶେଷରେ କୋର୍ଟକୁ ଯାଇ ଫିଲ୍ମର ରିଲିଜକୁ ଅଟକାଇବାକୁ ଚେଷ୍ଟା କରିଥିଲେ ।
ଉତ୍ତର ପ୍ରଦେଶର ଇନ୍ତଜାର ହୁସେନ ସଇଦ ନାମକ ଜଣେ ବ୍ୟକ୍ତି ବମ୍ବେ ହାଇକୋର୍ଟରେ ଏହି ଫିଲ୍ମର ରିଲିଜ ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ । ସେ ଏହି ଆବେଦନରେ କହିଥିଲେ ଯେ ଏହି ଫିଲ୍ମର ଟ୍ରେଲର ଜରିଆରେ ମୁସଲମାନ ମାନଙ୍କ ଭାବନାକୁ ଆଘାତ ପହଂଚିଛି । ଏହାର ଉତ୍ତେଜନାକାରୀ ଦୃଶ୍ୟ ସାଂପ୍ରଦାୟିକ ହିଂସାର କାରଣ ହୋଇ ପାରେ ।
ସଇଦ ତର୍କ ଦେଇଥିଲେ ଯେ କାଶ୍ମୀର ଫାଇଲ୍ସ ଫିଲ୍ମର ରିଲିଜକୁ ରୋକା ଯିବା ଉଚିତ କାରଣ ଏହାର ଟ୍ରେଲରେ ଭେଦଭାବପୂର୍ଣ ମନ୍ତବ୍ୟ ଦିଆ ଯାଇଛି । ଏହି ସିନେମାରେ ଘଟଣାକୁ ଏକତରଫା ଭାବେ ଚିତ୍ରଣ କରାଯାଇଛି ଓ ଏହା ଦ୍ବାରା ମୁସଲମାନ ମାନଙ୍କ ଭାବନାକୁ ଆଘାତ ହୋଇଛି । ଏହି ସିନେମାର ଟ୍ରେଲରରେ ମୁସଲମାନ ଜାଗୋ- କାଫିର ଭାଗୋ ଶବ୍ଦ କାନ୍ଥରେ ଲେଖା ଯାଇଥିବା ଦେଖା ଯାଉଛି । ଏହା ହିନ୍ଦୁ ଓ ମୁସଲମାନ ମାନଙ୍କ ମଧ୍ୟରେ ସାଂପ୍ରଦାୟିକ ଅସନ୍ତୁଳନ ତିଆରି କରି ପାରେ ବୋଲି ଆବେଦନକର୍ତାଙ୍କ ପକ୍ଷରୁ ତର୍କ ଦିଆଯାଇଥିଲା ।
ତେବେ ବିବେକ ଅଗ୍ନିହୋତ୍ରୀ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ ତାଙ୍କୁ ଚୁପ କରାଯାଇ ପାରିବ ନାହିଁ । ସେ ସମସ୍ତ ପ୍ରକାର ତଥ୍ୟ ପ୍ରମାଣ କୋର୍ଟରେ ଦେବାକୁ ପ୍ରସ୍ତୁତ ଅଛନ୍ତି ।
ତେବେ ଶେଷରେ ବମ୍ବେ ହାଇକୋର୍ଟ ଏହି ଫିଲ୍ମର ରିଲିଜ ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି । ଏବେ 11 ତାରିଖ ଦିନ ସାରା ଦେଶରେ ସିନେମା ହଲ ମାନଙ୍କରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି ।
ଏହି ଫିଲ୍ମ ରିଲିଜ ହେବା ସହ ଲୋକ ମାନେ ଯେତେ ଏହି ସିନେମାକୁ ଦେଖିବେ ଲିବେରାଲ ମାନେ ସେତେ ଅଧିକ ବିଳବିଳେଇ ହେବେ ଓ ଦେଶର ଜନସାଧାରଣ ସାମନାରେ କାଶ୍ମୀରର ସେହି କଳା ଘଟଣା ସାମନାକୁ ଆସିବ । ତେବେ କାହାକୁ ଭୃକ୍ଷେପ ନ କରି ଏଭଳି ସିନେମା ତିଆରି କରିଥିବାର ସାହସ କରିଥିବାରୁ ବିବେକ ଅଗ୍ନିହୋତ୍ରୀଙ୍କୁ ଧନ୍ୟବାଦ ଦେବାକୁ ପଡିବ ।
