ମୁମ୍ବାଇ: ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ (ଆରଜେଆଇଏଲ) ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଓ ମୁମ୍ବାଇ ସର୍କଲରେ ୮୦୦ ମେଗାହର୍ଜ ବ୍ୟାଣ୍ଡ୍ରେ ସ୍ପେକ୍ଟ୍ରମ ବ୍ୟବହାର କରିବାର ଅଧିକାର ହାସଲ ପାଇଁ ସ୍ପେକ୍ଟ୍ରମ ଟ୍ରେଡିଂ ଜରିଆରେ ଭାରତୀ ଏୟାରଟେଲ ସହିତ ଏକ ଚୁକ୍ତିନାମାରେ ଉପନୀତ ହୋଇଥିବା ସମ୍ପର୍କରେ ଘୋଷଣା କରିଛି । ୮୦୦ ମେଗାହର୍ଜ ବ୍ୟାଣ୍ଡ୍ରେ ଟ୍ରେଡିଂ ଚୁକ୍ତିନାମା ସ୍ୱାକ୍ଷର କରାଯାଇଥିବା ମୋଟ ୭.୫୦ ମେଗାହର୍ଜ ସ୍ପେକ୍ଟ୍ରମ ମଧ୍ୟରେ ରହିଛି ଆନ୍ଧ୍ରପ୍ରଦେଶ ସର୍କଲରେ ୩.୭୫ ମେଗାହର୍ଜ, ଦିଲ୍ଲୀ ସର୍କଲରେ ୧.୨୫ ମେଗାହର୍ଜ, ମୁମ୍ବଇ ସର୍କଲରେ ୨.୫୦ ମେଗାହର୍ଜ।
ଟ୍ରେଡିଂ ରାଜିନାମା ଭାରତ ସରକାରଙ୍କ ଦୂରସଂଚାର ବିଭାଗ ଦ୍ୱାରା ଜାରି ସ୍ପେକ୍ଟ୍ରମ ଟ୍ରେଡିଂ ନିର୍ଦ୍ଦେଶାବଳୀ ମୁତାବକ ହୋଇଛି ଏବଂ ଏହା ଆବଶ୍ୟକ ନିୟାମକ ଏବଂ ବୈଧାନିକ ଅନୁମୋଦନକୁ ଅପେକ୍ଷା କରୁଛି । ଏହି ସ୍ପେକ୍ଟ୍ରମ ବ୍ୟବହାର କରିବା ଅଧିକାରର ମୋଟ ମୂଲ୍ୟ ୧୪୯୭ କୋଟି ଟଙ୍କା, ଯେଉଁଥିରେ ବିଳମ୍ବିତ ଦେୟ ୪୫୯ କୋଟି ଟଙ୍କା ମୂଲ୍ୟ ସଂଯୁକ୍ତ ରହିଛି, ଏବଂ ତାହା କୌଣସି କାରବାର ସମ୍ପର୍କିତ ଆଡଜଷ୍ଟମେଣ୍ଟ ମଧ୍ୟ କରାଯାଇପାରିବ।
ସ୍ପେକ୍ଟ୍ରମ ବ୍ୟବହାର ସକାଶେ ଏହି ଟ୍ରେଡିଂ ଅଧିକାରସହିତ ଆରଜେଆଇଏଲ୍ ସଂପ୍ରତି ମୁମ୍ବଇ ସର୍କଲରେ ୨x୧୫ ମେଗାହର୍ଜ ଏବଂ ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀ ସର୍କଲରେ ୨x୧୦ ମେଗାହର୍ଜ ସ୍ପେକ୍ଟ୍ରମ ହାସଲ କରିବ ଏବଂ ତଦ୍ଦ୍ୱାରା ଏହିସବୁ ସର୍କଲରେ ଏହାର ସ୍ପେକ୍ଟ୍ରମ ଉପସ୍ଥିତିକୁ ଅଧିକ ସୁଦୃଢ କରିପାରିବ । ବର୍ଦ୍ଧିତ ସ୍ପେକ୍ଟ୍ରମ ଉପସ୍ଥିତି, ବିଶେଷକରି ସଂସ୍ପର୍ଶୀ ସ୍ପେକ୍ଟ୍ରମ ବଳରେ ଏବଂ ଉନ୍ନତ ଭିତିଭୂମି ଦ୍ୱାରା ଆରଜେଆଇଏଲ୍ ଏହାର ନେଟୱର୍କ କ୍ଷମତାରେ ପୁନଃ ବୃଦ୍ଧି ଘଟାଇଛି । ଏହି କାରବାର ଆବଶ୍ୟକ ନିୟାମକ ଏବଂ ବୈଧାନିକ ଅନୁମୋଦନ ମିଳିବାପରେ କାର୍ଯ୍ୟକ୍ଷମ ହେବ।