ଭୁବନେଶ୍ୱର: ରାଜ୍ୟର ସ୍ୱୀକୃତ କ୍ଲିନିକାଲ୍ ପରୀକ୍ଷାଗାର ମାନଙ୍କରେ କୋଭିଡ୍ ଟେଷ୍ଟ କ୍ଷମତା ବୃଦ୍ଧି ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଭିଡ଼ିଓ କନଫେରେନସିଂ ମାଧ୍ୟମରେ ଜିଲ୍ଲାଓ୍ୱାରୀ ଟେଷ୍ଟି ଦକ୍ଷତାର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି । ସମୀକ୍ଷାରୁ ଜଣାପଡିଥିଲା ଯେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଆର.ଟି.ପି.ସି.ଆର୍. (RTPCR) ଟ୍ରୁନାଣ୍ଟ୍ (Trunat), ସିବିନାଟ୍ ଓ ରାପିଡ୍ ଆଣ୍ଟିଜେନ (Rapid antigen) ଆଦି ଆଧୂନିକ ଟେଷ୍ଟ ମାଧ୍ୟମରେ ଦୈନିକ ପ୍ରାୟ୨୦ ହଜାର ପର୍ଯ୍ୟନ୍ତ ସାମ୍ପୁଲ୍ ଟେଷ୍ଟର ଦକ୍ଷତା ସୃଷ୍ଟି କରାଯାଇଛି । ଆବଶ୍ୟକତା ଅନୁସାରେ ଏହି ଟେଷ୍ଟ କ୍ଷମତା ଆହୁରି ବୃଦ୍ଧି କରାଯାଇ ପାରିବ । 'ଟେଷ୍ଟି,' 'ଆଇସୋଲେଟିଂ' ଏବଂ 'ଟ୍ରିଟମେଣ୍ଟ୍' କୋଭିଡ୍ ପରିଚାଳନାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି କହି ଟେଷ୍ଟି ଦକ୍ଷତା ଆହୁରି ଅଧିକ ବଢ଼ାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ସ୍ୱାସ୍ଥ୍ୟ ବିଭାଗ, ବିଭିନ୍ନ ସରକାରୀ ଏବଂ ବେସରକାରୀ ପରୀକ୍ଷାଗାର ଓ ମେଡିକାଲ କଲେଜ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବର୍ତ୍ତମାନ ରାଜ୍ୟରେ ପ୍ରାୟ ୧୪ ଟି ଆର୍ଟିଫିସିଆଲ ଟେଷ୍ଟ ପରୀକ୍ଷାଗାର କାର୍ଯ୍ୟ କରୁଛି । ଏହା ଛଡା ଆଣ୍ଟିଜେନ୍ ଟେଷ୍ଟ ସବୁ ଜିଲ୍ଲା ଲାବୋରାଟୋରୀରେ ହୋଇ ପାରୁଛି । ରାଜ୍ୟରେ ଖୁବ୍ ଶିଘ୍ର ଆଉ ୬ ଟି ପରୀକ୍ଷାଗାର କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଅନୁଗୁଳ,ପୁରୀ, କଳାହାଣ୍ଡି, ଝାରସୁଗୁଡା, କେନ୍ଦୁଝର, ସୁନ୍ଦରଗଡ଼ ଆଦି ସ୍ଥାନରେ ଏହି ପରୀକ୍ଷାଗାର ପ୍ରତିଷ୍ଠା ବିଷୟରେ ଆଲୋଚନା ହୋଇଥିଲା ।
ଅଧିକ ସାମ୍ପୁଲ୍ ସଂଗ୍ରହ, ସମୟାନୁବନ୍ଧିତ ଭାବେ ସେଗୁଡିକର ପରୀକ୍ଷା ଏବଂ 'ରିଅଲ୍ ଟାଇମ୍ ରିପୋଟିଂ' ଉପରେ ବୈଠକରେ ଗୁରୁତ୍ୱ ଅରୋପ କରାଯାଇଥିଲା । ସମସ୍ତ ପରୀକ୍ଷାର ଫଳାଫଳ ସିଧାସଳଖ ଆଇ.ସି.ଏମ୍.ଆର୍ ପୋର୍ଟାଲ୍ ରେ ଅପଲୋର୍ଡ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଆଇନତଃ ପଂଜୀକୃତ ଘରୋଇ ହସ୍ପିଟାଲ ମାନଙ୍କୁ ଆଣ୍ଟିଜେନ୍ ଟେଷ୍ଟ ନିମନ୍ତେ ଅନୁମତି ଦେବା ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ଏ ବିଷୟରେ ଆବଶ୍ୟକୀୟ ବୈଷୟିକ ସୁବିଧା ସୃଷ୍ଟି କରି ଖୁବ୍ ଶିଘ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀମାନଙ୍କୁ ଜଣାଇବା ପାଇଁ ନିଷ୍ପତ୍ତି ହୋଇଥିଲା ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର, ସ୍ୱତନ୍ତ୍ର ଶାସନ ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ଙ୍କ ସମେତ ବିଭିନ୍ନ ପରୀକ୍ଷାଗାର ଏବଂ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ ଅଧିକାରୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାସ୍ତରରୁ ମାଇକ୍ରୋ ବାଇଓଲୋଜିଷ୍ଟ, ସି.ଡି.ଏମ୍.ଓ ବିଭିନ୍ନ ମେଡିକାଲ କଲେଜର ଅଧିକ୍ଷକମାନେ ଭିଡିଓ କନଫେରେନସିଂ ମାଧ୍ୟମରେ ନିଜ ନିଜ ଜିଲ୍ଲାର 'ଟେଷ୍ଟିଂ ଓ ରିପୋଟିଂ' ସ୍ଥିତି ସଂପର୍କରେ ଅବଗତ କରାଇଥିଲେ ।