ଭୁବନେଶ୍ଵର: କୋଭିଡ ଗାଇଡଲାଇନ ଅନୁଯାୟୀ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଖୋଲି ସାରିଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ ଲାଗୁନାହିଁ । ବିଶେଷ କରି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପୂର୍ବ ଭଳି ଭିଡ ନଥିବା ବେଳେ କାଁ ଭାଁ ପର୍ଯ୍ୟଟକ ଆସୁଥିବାର ଦେଖିବାକୁ ମିଳିଛି। ପୂର୍ବରୁ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ପର୍ଯ୍ୟଟନ ସ୍ଥଳୀକୁ ଆସୁଥିବା ବେଳେ ପର୍ଯ୍ୟଟନ ସ୍ଥଳୀ ପାଖରେ ଥିବା ବ୍ୟବସାୟୀ ମାନଙ୍କର ବେଶ ଦୁଇ ପଇସା ରୋଜଗାର ହେଉଥିଲା। ବର୍ତ୍ତମାନ ପର୍ଯ୍ୟଟକଙ୍କ ଭିଡ ଲାଗୁନଥିବା ବେଳେ ରୋଜଗାର ମାନ୍ଦା ଯୋଗୁ ପରିବାର ଚଳାଇବା ମଧ୍ୟ କଷ୍ଟକର ହୋଇପଡିଥିବା ବ୍ୟବସାୟୀ ମାନେ କହିଛନ୍ତି।
ଅନ୍ୟପଟେ ପୂର୍ବରୁ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ଅଫଲାଇନ ଟିକେଟର ବ୍ୟବସ୍ଥା ରହିଥିଲା। ବର୍ତ୍ତମାନ ପର୍ଯ୍ୟଟନ ସ୍ଥଳୀ ବୁଲିବା ପାଇଁ ଅନଲାଇନ କ୍ୟୁ ଆର କୋଡର ବ୍ୟବସ୍ଥା କରାଯାଇଛି । ଯାହାକୁ ନେଇ ପର୍ଯ୍ୟଟକ ମାନେ ଏହି ଜଟିଳ ପ୍ରକ୍ରିୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।
ତେବେ କୋରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ହେଉଥିବା ବେଳେ କେବେ ପର୍ଯ୍ୟଟନ ସ୍ଥଳୀରୁ ସମ୍ପୂର୍ଣ୍ଣ କଟକଣା ଉଠିବ ଆଉ ପୂର୍ବ ପରି ପର୍ଯ୍ୟଟକଙ୍କ ଭିଡ ଲାଗିବ ତାହା ଦେଖିବାକୁ ବାକି ରହିଲା।