ଗଞ୍ଜାମ : ଜାନୁଆରୀ 3ରୁ ଖୋଲିବାକୁ ଯାଉଛି ଗଞ୍ଜାମ ଜିଲ୍ଲାର ଶକ୍ତିପୀଠ ମାଆ ତାରାତାରିଣୀଙ୍କ ମନ୍ଦିର । କରୋନା କଟକଣା ମଧ୍ୟରେ ଭକ୍ତମାନେ କିଭଳି ମାଆଙ୍କୁ ଦର୍ଶନ କରିବେ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଓପି ପ୍ରସ୍ତୁତ ହୋଇଛି । ସେପଟେ କୋରୋନା ସଂକ୍ରମଣ ଭୟ ଥିବା ଯୋଗୁଁ ଜିଲ୍ଲାରେ ଜିରୋ ନାଇଟ୍ ପାଳନ ହେବା ଉପରେ ବାରଣ ଲଗାଯାଇଥିବା ବେଳେ ମନ୍ଦିର ପାଖରେ ବଣଭୋଜି ମନା ରହିଛି ।
ଭକ୍ତଙ୍କ ପାଇଁ ଫିଟିବ ମାଆଙ୍କ ଦ୍ୱାର । ଆସନ୍ତା 3 ତାରିଖରୁ ଖୋଲିବାକୁ ଯାଉଛି ଗଞ୍ଜାମ ପ୍ରସିଦ୍ଧ ଶକ୍ତିପୀଠ ମାଆ ତାରାତାରିଣୀଙ୍କ ମନ୍ଦିର । କୋଭିଡ କଟକଣା ମଧ୍ୟରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏ ନେଇ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ କିଭଳି ଭକ୍ତମାନେ ମାଆଙ୍କୁ ଦର୍ଶନ କରିବେ ସେ ନେଇ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏ ନେଇ ତାରାତାରିଣୀ ମନ୍ଦିରର କର୍ମକର୍ତ୍ତାଙ୍କ ଏବଂ ଜିଲ୍ଲାର ଅନ୍ୟାନ୍ୟ ଧର୍ମାନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି । ତେବେ ମନ୍ଦିର ପାହାଡ଼ ଉପରକୁ ଗାଡ଼ି ପ୍ରବେଶ ନିଷେଧ କରାଯାଇଛି । ଏହାସହ କୌଣସି ଲୋକମାନେ ଗହଳି, ବଣଭୋଜି, ନାଚ ଗୀତ କରିପାରିବେ ନାହିଁ । ତେବେ ତାରାତାରିଣୀ ଭଳି ଜିଲ୍ଲାର ଅନ୍ୟାନ୍ୟ ଧର୍ମାନୁଷ୍ଠାନ ମଧ୍ୟ ଖୋଲିବା ନିମନ୍ତେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
କରୋନା ମହାମାରୀ ଯୋଗୁଁ ଦୀର୍ଘ 9 ମାସ ହେଲା ମନ୍ଦିରରେ ଝୁଲୁଛି ତାଲା । କେବଳ ସେବାୟତମାନେ ହିଁ ମନ୍ଦିରକୁ ଯାଇ ଠାକୁରଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ଭକ୍ତମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ନିମନ୍ତେ ଅନୁମତି ଦିଆଯାଉ ନାହିଁ । ଫଳରେ ସେବାୟତମାନଙ୍କ ସମେତ ସେଠାରେ ଦୋକାନ କରିଥିବା ବେପାରୀ ବି ରୋଜଗାର ନଥିବାରୁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ତେବେ କୋଭିଡ ନିୟମ ମାନି ନିଜ ଅଧିଷ୍ଠାତ୍ରୀ ଦେବୀ ମାଆ ତାରା ତାରିଣୀଙ୍କ ଦର୍ଶନ କରିବାକୁ ଇଚ୍ଛୁକ ଜିଲ୍ଲାବାସୀ ।