ନବରଙ୍ଗପୁରରେ କୋଷାଗୁମୁଡା ବ୍ଲକର ବାମୁଣିରେ ଜମି ଅଧିଗ୍ରହଣକୁ ବିରୋଧ କରି ଉତ୍ତେଜନା । ନବରଙ୍ଗପୁର ବାମୁଣି ମୌଜାରେ ମକା ପ୍ରୋସେସିଂ ପ୍ଲାଣ୍ଟ ନିର୍ମାଣ ପାଇଁ ଲାଗି ରହିଛି ବିବାଦ । ଗାଁରେ ଥିବା ମୋଟ 300ଏକର ଗୋଚର ଜମିରୁ 160 ଏକର ଜମି ଇଡ଼କୋ ପକ୍ଷରୁ ବାୟୋଟେକ୍ ପ୍ରାଇଭେଟ ଲିମିଟେଡ଼ ନାମକ ଏକ କମ୍ପାନୀକୁ ପ୍ରଦାନ କରାଯାଇଛି । ଯାହାକୁ ଆରମ୍ଭରୁ ଆଦିବାସୀମାନେ ବିରୋଧ କରି ଆସୁଛନ୍ତି । ବିନା ପଲ୍ଲୀସଭାରେ ପୋଲିସ ଲଗାଇ ପ୍ରଶାସନ କାମ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଚଳିତ ମାସ 7 ତାରିଖରେ କମ୍ପାନୀ ଜମିରେ ଭୂମିପୂଜା କରିବା ସହ ଲଗାଇଥିବା ତାରବାଡ଼ ବେଆଇନ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଜନବସତି ଅଂଚଳରେ ପ୍ଲାଣ୍ଟ ନିର୍ମାଣ କରାଗଲେ ପ୍ରଦୂଷଣ ବଢ଼ିବା ସହ ପରିବେଶ ନଷ୍ଟ ହେବାର ଆଶଙ୍କା ରହିଛି । ଖାଲି ଏତିକି ନୁହେଁ ଗ୍ରାମବାସୀଙ୍କ ପାଖରେ ଚାଷ ଜମି କମ୍ ଥିବାରୁ ଜଙ୍ଗଲ ଜମିକୁ ଏମାନେ ଚାଷ କାର୍ଯ୍ୟରେ ବର୍ଷ ବର୍ଷ ଧରି ବ୍ୟବହାର କରି ଆସୁଥିଲେ । ଯାହା ଫଳରେ ସ୍ଥାନୀୟ ଲୋକଙ୍କ ଜୀବିକା ମଧ୍ୟ ଏକ ପ୍ରକାର ପ୍ରଭାବିତ ହେବାର ଆଶଙ୍କା ରହିଛି । ଘଟଣାକୁ ନେଇ ଗ୍ରାମବାସୀ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଅନ୍ୟପଟେ ପ୍ରଶାସନ କହିଛି, ପ୍ଲାଣ୍ଟ ହେଲେ ଅଞ୍ଚଳର ବିକାଶ ହେବ ଏବଂ ପ୍ରଶାସନ ତରଫରୁ ସେଠାକାର ସ୍ଥାନୀୟ ବାସିନ୍ଦାମାନଙ୍କ ସହ ଆଲୋଚନା କରି ଆପୋଷ ବୁଝାମଣା କରାଯିବ । ସେପଟେ ଯଦି କାମ ବନ୍ଦ ନହୁଏ ଆନ୍ଦୋଳନ ଆହୁରି ତୀବ୍ର କରିବା ସହ ନ୍ୟାୟାଳୟର ଦ୍ବାରସ୍ଥ ହେବାକୁ ଧମକ ଦେଇଛନ୍ତି ଗ୍ରାମବାସୀ ।