ଅନୁଗୋଳ : ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ କତଡା ପଞ୍ଚାୟତ ମଲ୍ହାର ସାହିରେ ମୌଳିକ ସୁବିଧାରୁ ବଞ୍ଚିତ ଗରିବ ଆଦିବାସୀ । ଦୀର୍ଘବର୍ଷ ଧରି ସମସ୍ୟା ଘେରରେ ଥିଲେ ବି ପଡୁନି ପ୍ରଶାସନର ନଜର। ଗୋଟିଏ ପଟେ ସରକାର ଆଦିବାସୀ ଜନଜାତିଙ୍କୁ ନେଇ ଯୋଜନା ଉପରେ ଯୋଜନା କରୁଥିବ ଡିଣ୍ଡିମ ପିୁଟୁଛନ୍ତି ସରକାର। ହେଲେ ମଲ୍ହାର ସାହିରେ ରହୁଥିବା 25 ଆଦିବାସୀ ପରିବାର ଏହି ସବୁ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଗାଁରେ ନା ଅଛି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନା ବିଦ୍ୟୁତକରଣ ବ୍ୟବସ୍ଥା । ଏମିତି କି ଗାଁରେ ଅଙ୍ଗନବାଡି ନଥିବାରୁ ପିଲାମାନେ ମଧ୍ୟ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।
ମଲ୍ହାର ସାହିର ଆଦିବାସୀମାନଙ୍କ ସରକାରୀ ସହାୟତା କହିଲେ ପ୍ରତ୍ୟେକ ପରିବାରକୁ କେବଳ 5କେଜି ଚାଉଳ ଛଡା ଅନ୍ୟ କିଛି ମିଳୁନାହିଁ । ଯାହାଫଳରେ ଏହି ଗରିବ ଆଦିବାସୀମାନେ ଜଙ୍ଗଲରୁ ଜଙ୍ଗଲୀ ଆଳୁ, ଜଙ୍ଗଲୀ ଫଳମୂଳ ଇତ୍ୟାଦି ସଂଗ୍ରହ କରି ଖାଉଥିବା ଦେଖିବାକୁ ମିଳିଛି । ତେବେ ଦୀର୍ଘ ବର୍ଷ ଧରି ଏହି ଆଦିବାସୀ ପରିବାର ଗୁଡିକ ସମସ୍ୟା ଘେରରେ ରହିଥିବା ବେଳେ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଏସବୁ ସମସ୍ୟା ନେଇ ଅର୍ଗସ ଟିମ୍ ସ୍ଥାନୀୟ ବିଡିଓଙ୍କୁ ଭେଟିଥିଲା । ଏପର୍ଯ୍ୟନ୍ତ ଏନେଇ କୌଣସି ଅଭିଯୋଗ ଆସିନଥିବା ଆଗାମୀ ଦିନରେ ଏମାନଙ୍କୁ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ତେବେ ଏହି ଗରିବ ଆଦିବାସୀ ପରିବାର ଉପରେ କେବେ ପ୍ରଶାସନର ଶୁଭଦୃଷ୍ଟି ପଡିବ ତାହା ଦେଖିବାକୁ ବାକି ରହିଲା।