ଅର୍ଗସ୍ ବ୍ୟୁରୋ : ଓଡିଶା ହେଉଛି ଏକ ଆଦିବାସୀ ବହୁଳ ରାଜ୍ୟ । ଏଠାରେ ୬୨ ପ୍ରକାରର ଆଦିବାଦୀ ବସବାସକରନ୍ତି । ପ୍ରତ୍ୟେକ ଆଦିବାସୀ ସମ୍ପ୍ରଦାୟର ନିଜସ୍ୱ ଭାଷା,ସଂସ୍କୃତି ଓ ପରମ୍ପରା ରହିଛି । ଅଳ୍ପ କେତୋଟି ଜିଲ୍ଲାକୁ ଛାଡିଦେଲେ ପ୍ରାୟ ସମସ୍ତ ଜିଲ୍ଲାରେ ବିଭିନ୍ନ ଆଦିବାସୀ ଜନଜାତି ବସବାସ କରନ୍ତି । ଆଧୁନିକତା ପ୍ରଭାବରେ ବି ସେମାନଙ୍କ ସଭ୍ୟତା ସଂସ୍କୃତି ହଜି ଯାଇନି ବରଂ ଓଡିଶାକୁ ଏକ ନୂଆ ପରିଚୟ ଦେଇଛି । ନିଜର ସଂସ୍କୃତି ପରମ୍ପରାକୁ ବଂଚେଇ ରଖିଥିବା ସେମିତି ଏକ ସମ୍ପ୍ରଦାୟ ହେଉଛି ଭତଡା । ଏବେ ଆସନ୍ତୁ ଜାଣିବା ଭୋତଡ଼ା ସମ୍ପ୍ରଦାଙ୍କ ବିଷୟରେ କିଛି କଥା –
ଭୋତଡ଼ା ଜନଜାତିକୁ ଭାରତ ସରକାର ଏକ ଅନୁସୂଚିତ ଜନଜାତି ଭାବରେ ଶ୍ରେଣୀଭୁକ୍ତ କରିଛନ୍ତି । ଏହି ଜନଜାତି ଓଡିଶାର ବିଭିନ୍ନ ଜିଲ୍ଲାରେ ଦେଖାଯାଆନ୍ତି । ସେମାନେ ପରସ୍ପର ମଧ୍ୟରେ ଓଡିଆ କିମ୍ବା ଭତ୍ରୀ ଭାଷାରେ କଥାବାର୍ତା କରନ୍ତି । ୨୦୧୧ ଜନଗଣନା ଅନୁସାରେ ସେମାନଙ୍କ ଜନସଂଖ୍ୟା ପ୍ରାୟ ୪୫୦,୭୭୧ ବୋଲି ଦର୍ଶାଯାଇଛି । ଏହି ଭୋତଡ଼ା ନାମ ଭୁ ଶବ୍ଦରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ପୃଥିବୀ ଏବଂ ତାରା ଯାହାର ଅର୍ଥ ଗୋଡ଼ାଇବା । କୁହାଯାଏ ଯେ, ସେମାନେ ଛତିଶଗଡ଼ ବସ୍ତରରୁ ସ୍ଥାନାନ୍ତରିତ ହୋଇ ଓଡ଼ିଶା ଆସିଥିଲେ । ଏହି ଜନଜାତି ବଡ଼ ଭୋତଡ଼ା ଏବଂ ସାନ ଭୋତଡ଼ା ନାମରେ ଦୁଇ ଭାଗରେ ବିଭକ୍ତ । ସାମାଜିକ କ୍ରମରେ ଦେଖିବାକୁ ଗଲେ ବଡ଼ମାନେ ନିଜକୁ ଅଧିକ ଶୁଦ୍ଧ ଆଉ ଉଚ୍ଚ ବୋଲି ଦାବି କରନ୍ତି । ସେମାନେ ନିଜକୁ ଅନେକ ପ୍ରକାର ଗୋତ୍ର ସହିତ ନିଜକୁ ଚିହ୍ନଟ କରନ୍ତି ଯେପରିକି କଇଁଛ, ବାଘ, ନାଗ, ମାଙ୍କଡ, କୁକୁର, ଝିଟିପିଟି, ଛେଳି ଇତ୍ୟାଦି । ସମସ୍ତେ ନିଜ ନିଜ ଗୋତ୍ରକୁ ସମ୍ମାନ ଦିଅନ୍ତି । ସେମାନେ ଆନ୍ତଃବିବାହ ଗୋଷ୍ଠୀ ଭାବରେ ପରିଚିତ ଥିଲେ ବି ଏବେ ଅନ୍ୟ ସମ୍ପ୍ରଦାୟ ବା ଗୋଷ୍ଠୀରେ ମଧ୍ୟ ବିବାହ କରୁଛନ୍ତି । ବୁଝାମଣା ଭିତିରେ ହେଉଥିବା ସେମାନଙ୍କ ବିବାହକୁ ବିଭା କୁହାଯାଏ । ଏହାକୁ ଆଦର୍ଶ ଏବଂ ସମ୍ମାନଜନକ ବିବେଚନା କରାଯାଏ । ତେବେ ପୁଅ ଝିଅ ପ୍ରେମ କରି ପଳାୟନ କରିବା କିମ୍ବା ଜବରଦସ୍ତ କାହାକୁ ବିବାହ କରିବାର ଘଟଣା ମଧ୍ୟ ଘଟିଥାଏ । ଯଥେଷ୍ଟ କାରଣ ଥିଲେ ଛାଡପତ୍ର ଓ ପୁର୍ନବିବାହ ଏହି ସମ୍ପ୍ରଦାୟରେ ସ୍ୱିକୃତୀପ୍ରାପ୍ତ । ମୃତ ଲୋକଙ୍କୁ ସେମାନେ କବର ଦିଅନ୍ତି । ହିନ୍ଦୁ ଦେବାଦେବୀଙ୍କୁ ପୂଜା କରନ୍ତି । ବୁଢୀ ଠାକୁରାଣୀ,ଭୈରବୀ ବୁଦ୍ଧାମାତା, ବସୁମାତା, ବନଦୂର୍ଗା ଇତ୍ୟାଦି ସେମାନଙ୍କର ପୂଜ୍ୟ । ସେମାନଙ୍କର ମୁଖ୍ୟ ପର୍ବ ଚଇତିପର୍ବ, ଅକ୍ଷୟତୃତୀୟା, ନୂଆଖାଇ, ଦଶହରା । ଗାଁର ପାରମ୍ପରିକ ପୂଜାପାଠର ମୁଖ୍ୟ ହେଉଛନ୍ତି ନାୟକ । ମୁଖ୍ୟ ବୃତି ଚାଷ ହୋଇଥିବାରୁ ସେମାନେ ଧାନ, ଆଖୁ, ଡାଲି ଇତ୍ୟାଦି ଚାଷ କରନ୍ତି ।