ଭୂୟାଁ ସମ୍ପ୍ରଦାୟ ଓଡିଶାର କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ, ସମ୍ବଲପୁର ଅଂଚଳରେ ଦେଖାଯାଆନ୍ତି । ପରସ୍ପର ମଧ୍ୟରେ ସେମାନେ ଓଡିଆ ଭାଷାରେ କଥାବାର୍ତା କରନ୍ତି । ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ସେମାନେ ଚାଷବାସ, ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରନ୍ତି । ସରକାରୀ ସର୍ବେକ୍ଷଣ ଅନୁସାରେ ଓଡିଶାରେ ସେମାନଙ୍କ ଜନସଂଖ୍ୟା ୩୦୬୧୨୯ । ସେମାନଙ୍କ ମଧ୍ୟରୁ ପୁରୁଷ ଜନସଂଖ୍ୟା ୧୫୧୪୭୯ ଓ ମହିଳା ଜନସଂଖ୍ୟା ୧୫୪୬୫୦ । ଭୂୟାଁ ନାଁଟି ସଂସ୍କୃତ ଶବ୍ଦ ‘ଭୂମି’ ରୁ ଉତ୍ପନ୍ନ ଯାହାର ଅର୍ଥ ଭୂମି ବା ପୃଥିବୀ । ଏହି ଜନଜାତିକୁ ଭୁୟାଁ, ଭୁଆନ୍ ଏବଂ ଭୁଇନିଆ ନାମରେ କୁହାଯାଏ । ଏହି ଜନଜାତି ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶର ସ୍ତର ଅନୁଯାୟୀ ୨ଟି ଗୋଷ୍ଟୀରେ ବିଭକ୍ତ କରାଯାଇଛି ଯଥା- ପାହାଡୀ ଭୂୟାଁ ଏବଂ ସମତଳ ଭୂୟାଁ । ଭୂୟାଁ ଗାଁ ଗୁଡିକ ପାହାଡ ଉପରେ ଥିବା ମାଳଭୂମିରେ କିମ୍ବା ଜଙ୍ଗଲ ମଝିରେ ଥିବା ସମତଳ ଅଂଚଳରେ ଅବସ୍ଥିତ । ସାଧାରଣତଃ ଛୋଟଛୋଟ ଆକାରର ହୋଇଥାଏ ସେମାନଙ୍କ ଗାଁ ଗୁଡିକ । ଗୋଟିଏ ଗାଁର ସମସ୍ତ ପରିବାର ମଧ୍ୟରେ ରକ୍ତ ସମ୍ପର୍କ ଥିବାରୁ ଗାଁ ଭିତରେ ବିବାହ ପୂର୍ବରୁ ନିଷେଧ ଥିଲା ମାତ୍ର ହୋଇପାରୁଛି । ମୃତ୍ୟୁପରେ ୨ ରୁ ୩ ଦିନ ଯାଏଁ ନିତୀ ନିୟମ ପାଳନ କରାଯାଏ ଏବଂ ଶେଷରେ ଗ୍ରାମବାସୀଙ୍କୁ ଶୋକସନ୍ତପ୍ତ ପରିବାର ତରଫରୁ ଭୋଜି ଦିଆଯାଏ । ସେମାନେ ସୂର୍ଯ୍ୟଦେବତା ,ପୃଥିବୀ ମାତାଙ୍କୁ ତାଙ୍କର ସର୍ବୋଚ୍ଚ ଦେବତା ଭାବରେ ସମ୍ମାନ ଦିଅନ୍ତି । ପ୍ରତ୍ୟେକ ଭୂୟାଁ ଗ୍ରାମରେ ଏକ ପାରମ୍ପରିକ ପଂଚାୟତ ଅଛି ଯାହା ଆବଶ୍ୟକ ସମୟରେ ଏକାଠି ମିଳିତ ହୋଇଥାଏ । ଗାଁର ମୂଖିଆ ବା ପ୍ରଧାନ ପଂଚାୟତର ଅଧ୍ୟକ୍ଷତା କରନ୍ତି ।