ନୟାଗଡ: ଜନସେବା ପାଇଁ ଚାକିରୀ ଛାଡିଲେ ସିଭିଲ ଇଞ୍ଜିନିୟର ଗୃହିଣୀ । ମାସକୁ 65 ହଜାର ଟଙ୍କା ଦରମା ପାଉଥିବା ଏହି ଗୃହିଣୀ ଜଣକ କେବଳ ସମାଜସେବା ନିଶାରେ ମୋଟା ଅଙ୍କର ଦରମାକୁ ପଛରେ ପକାଇ ଗାଁ ଗାଁ ବୁଲି ଚଳାଇଛନ୍ତି ସେବା କାର୍ଯ୍ୟ । ଯାହାକୁନେଇ ଚର୍ଚ୍ଚାରେ ନୟାଗଡ଼ ଜିଲ୍ଲା ରାଜସୁନାଖଳା ଏ ହେଉଛନ୍ତି ରିନାରାଣୀ ସାହୁ । ଯେ କି ପେଷାରେ ଜଣେ ଦକ୍ଷ ସିଭିଲ ଇଞ୍ଜିନିୟର । କିନ୍ତୁ ନିଶା ସମାଜସେବା କରିବା ।
ରୀନାଙ୍କ ଘର ନୟାଗଡ଼ ଜିଲ୍ଲା ଶରଣକୁଳର ହରିହରପୁର ଗାଁରେ । ବାପା ଲକ୍ଷ୍ମୀଧର ସାହୁଙ୍କ 4 କନ୍ୟା ସନ୍ତାନଙ୍କ ମଧ୍ୟରୁ ରୀନାରାଣୀ ଦ୍ୱିତୀୟ । ମାତ୍ର 20 ବର୍ଷ ବୟସରୁ ସେ ଚାକିରି କରିଥିଲେ । କିନ୍ତୁ, ବର୍ତ୍ତମାନ ରୀନାଙ୍କୁ ନେଇ ଏତେ ଚର୍ଚ୍ଚା କାହିଁକି । ରୀନା ଛତିଶଗଡ଼ରେ ମାସିକ 65 ହଜାର ଟଙ୍କା ଦରମାରେ ଚାକିରୀ କରିଥିଲେ ।
ମାତ୍ର ଲକଡାଉନ ସମୟରେ ଗାଁକୁ ଆସି ଲୋକମାନଙ୍କ ଦୁଃଖ ଦୁର୍ଦଶା ଦେଖି ହଠାତ ମନ ପରିବର୍ତ୍ତନ କରିଦେଲେ ରୀନା । ସେବେଠାରୁ ନିଜ ଚାକିରୀ ଜୀବନକୁ ଅବ୍ୟାହତି ଦେଇ ସେବାରେ ନିଜକୁ ସମ୍ପୂର୍ଣ ଭାବେ ନିୟୋଜିତ କରିଛନ୍ତି ରୀନା ।
2018 ମସିହାରେ ରଣପୁର ବ୍ଲକ ରାଜ ସୁନାଖଳାର ସୁଧାଂଶୁ ଶେଖର ସାହୁଙ୍କୁ ବିବାହ କରିଥିଲେ ରୀନା । ବର୍ତମାନ ତାଙ୍କର ଏକ ପୁତ୍ର ସନ୍ତାନ ରହିଛି । ଘରେ ସେ ଜଣେ ଆଦର୍ଶ ଗୃହିଣୀ । ଲକଡାଉନ ସମୟରେ ତାଙ୍କ ଦ୍ୱାରା ଗଠିତ ପ୍ରିନ୍ସ ଫାଉଣ୍ଡେସନ 100 ଟି ଗାଁ ବୁଲି ମାଗଣା ଖାଦ୍ୟ ବଣ୍ଟନ କରିଛି ।
ସାମାଜିକ ଗଣମାଧ୍ୟମ ଅଥବା ଗଣମାଧ୍ୟମରେ କାହାର ଦୁଃଖ ଦୁର୍ଦଶା ଖବର ଦେଖିଲେ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ଯାଆନ୍ତି ରିନା ଏବଂ ଆବଶ୍ୟକତା ଠାରୁ ଅଧିକ ଅର୍ଥ ବି ସାହାଯ୍ୟ କରନ୍ତି । ଖାଲି ସେତିକି ନୁହେଁ ଗାଁର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାକୁ ମହିଳା ଗ୍ରୁପ ଗଠନ କରି ନିଜେ ଆର୍ଥିକ ସହାୟତା କରିଥାନ୍ତି । ତାଙ୍କର ଏଭଳି ମନୋବୃତ୍ତି ପାଇଁ ଏବେ ସେ ସମଗ୍ର ଅଞ୍ଚଳରେ ସୁନାବୋହୁ ରୀନା ରୂପେ ବେଶ ପରିଚିତ ।