ଗୋଆରେ ପୁରୀ ଝିଅର କମାଲ । ନିଜ ଟାଲେଣ୍ଟ ଦେଖାଇ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ। ମିସ ଇଣ୍ଡିଆ ଫଟୋଜେନିକ ଫେସ୍ ପ୍ରତିଯୋଗିତାରେ ବିଜୟର ମୁକୁଟ ପିନ୍ଧିଛନ୍ତି ଅପର୍ଣ୍ଣା ଦାଶ । ଗତ ନଭେମ୍ବର ମାସରେ ଗୋଆରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ଦେଶର ବିଭିନ୍ନ ସ୍ଥାନରୁ 37 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପ୍ରଥମେ ଭର୍ଚୁଆଲ ମୋଡ଼ରେ ଅନଲାଇନ ମିସ ଇଣ୍ଡିଆ ଚାର୍ମିଂ ପ୍ରତିଯୋଗିତା ପାଇଁ ଚୟନ ହୋଇଥିଲା । ସେଥିରେ ଅପର୍ଣ୍ଣା ଭାଗ ନେଇ ରନର୍ସ ଅପ ହୋଇଛନ୍ତି । ପୁରୀରୁ ଗୋଆ ଅପର୍ଣ୍ଣାଙ୍କ ପାଇଁ ଏକ ଯାତ୍ରା ଥିବା ସହ ନିଜ ବାପା, ମାଙ୍କ ପ୍ରେରଣା ଓ ମହାପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦ ଯୋଗୁଁ ସେ ଏହି ସଫଳତା ପାଇଥିବା କହିଛନ୍ତି ।
ପୁରୀର ଶ୍ରୀକାନ୍ତ ଦାଶ ଓ ସ୍ୱାଧିନା ଦାଶଙ୍କ ଏକମାତ୍ର କନ୍ୟା ହେଉଛନ୍ତି ଅପର୍ଣ୍ଣା ଦାଶ । ପୁରୀ ବ୍ଲେସଡ଼ ସାକ୍ରାମେଣ୍ଟ ହାଇସ୍କୁଲରୁ ଦଶମ ପାସ କରିବା ପରେ ସେ କିଟ ଇଣ୍ଟରନ୍ୟାସନାଲ ସ୍କୁଲରେ ଦ୍ୱାଦଶ ପଢି ବର୍ତ୍ତମାନ ପଞ୍ଜାବ ଜଳନ୍ଧରର ଏକ ବିଶ୍ୱବିଦ୍ୟାଳୟରେ ଫେସନ ଡିଜାଇନରେ ସ୍ନାତକ ଶିକ୍ଷା ଗ୍ରହଣ କରୁଛନ୍ତି । ପିଲା ଦିନରୁ ଅପର୍ଣ୍ଣାଙ୍କ ଫ୍ୟାସନ ପାଇଁ ଇଛା ଓ ଆଗ୍ରହ ଥିବାରୁ ବାପା, ମା ତାଙ୍କୁ ବେଶ ସହଯୋଗ କରିଥିଲେ । ତେବେ ଝିଅର ଏହି ସଫଳତା ଦେଖି ପରିବାର ଲୋକ ମଧ୍ୟ ଗର୍ବ ଅନୁଭବ କରୁଥିବା କହିଛନ୍ତି । ତେବେ ନିଜ ପ୍ରତିଭା ପାଇଁ ଅପର୍ଣ୍ଣା ସଫଳତା ଲାଭ କରି ସବୁଆଡୁ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି । ଭବିଷ୍ୟତରେ ମିସ୍ ଫେମିନା ପ୍ରତିଯୋଗୀତାରେ ଭାଗ ନେବାକୁ ଲକ୍ଷ୍ୟ ରଖିଛନ୍ତି ସେ।