୨୦୨୦ ଜାନୁଆରୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ତରଫରୁ ଜାରି କରା ଯାଇଥିବା ଫାଇନାନ୍ସିଆଲ ଇନ୍କ୍ଲୁଜନ୍ ରିପୋର୍ଟରେ ଲିଙ୍ଗଗତ ସମାନତା ଏବଂ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ସେମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବା ନିହାତି ଆବଶ୍ୟକ ବୋଲି କୁହାଯାଇଥିଲା।
୨୦୧୪ରେ କେନ୍ଦ୍ରର ମୋଦି ସରକାର ଆସିବା ପରେ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଯୋଗୁଁ ଏହି ସୁଫଳ ମିଳିଥିବା ଜଣାପଡ଼ିଛି । ୪ ଡିସେମ୍ବର ୨୦୨୦ ସୁଦ୍ଧା ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଏହି ଯୋଜନାରେ ଦେଶରେ ୪୧ କୋଟି ୩୮ ଲକ୍ଷ ବ୍ୟାଙ୍କ୍ ଜମାକାରୀ ସୃଷ୍ଟି ହୋଇଥିବା ବେଳେ କେବଳ ୨୨କୋଟି ୮୯ ଲକ୍ଷ ବା ୫୫ ପ୍ରତିଶତ ମହିଳା ଜମାକାରୀ ଅଛନ୍ତି। ଏହା ଦ୍ୱାରା ମହିଳାମାନଙ୍କ ମଧ୍ୟରେ ଆତ୍ମନିର୍ଭରଶିଳତା ବଢ଼ିବା ସହିତ ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାଧୀନତା ମଳିଛି ଯାହା ପରୋକ୍ଷରେ ପରିବାରର ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ମଧ୍ୟ ସହାୟକ ହୋଇପାରିଛି।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ ରେ ଜନସଂଖ୍ୟା, ସ୍ୱାସ୍ଥ୍ୟ, ପୁଷ୍ଟି ବିଷୟରେ ତଥ୍ୟ ଯୋଗାଡ଼ କରା ଯାଉଥିବା ବେଳେ ମହିଳାମାନଙ୍କ ରୋଜଗାରକୁ ମଧ୍ୟ ଏଥିରେ ଏକ ସୂଚକ ବା ଇଣ୍ଡିକେଟର୍ ଭାବରେ ଗ୍ରହଣ କରାଯାଇଥିଲା । କାରଣ ମହିଳାଙ୍କ ରୋଜଗାର, ଆତ୍ମନିର୍ଭରଶିଳତା ତଥା ସଶକ୍ତିକରଣ ମଧ୍ୟ ଗୋଟିଏ ପରିବାରର ସ୍ୱାସ୍ଥ୍ୟ ପରିଚାଳନାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତେବେ ଏଥିରେ ଓଡ଼ିଶାର ତଥ୍ୟ ନଥିବାରୁ ଦ୍ୱିତୀୟ ପର୍ଯ୍ୟାୟ ସର୍ବେକ୍ଷଣରେ ଏହା ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି।