କୋଲକାତା : ବିବାହ ପରି ଏକ ପବିତ୍ର ବନ୍ଧନରେ ବାନ୍ଧିହେବା ପାଇଁ ଲୋକେ ମନଲାଖି ବର ବା କନ୍ୟାଟିଏ ଖୋଜିଥାନ୍ତି । ସମୟ ଓ ଯୁଗ ବଦଳିବା ସଙ୍ଗେ ସଙ୍ଗେ ଦିନକୁ ଦିନ ସବୁ କ୍ଷେତ୍ରରେ ପରିବର୍ତନ ଘଟୁଥିବା ଦେଖିବାକୁ ମିଳୁଛି । ଏବେ ଲୋକେ ନିଜ ମନ ପସନ୍ଦର ବର ବା କନ୍ୟା ଖୋଜିବା ପାଇଁ ସୋସିଆଲ ମିଡିଆ କିମ୍ବା ୱେବସାଇଟ୍ରେ ବିଜ୍ଞାପନ ଦେଉଛନ୍ତି । ମନଲାଖି ବର ବା କନ୍ୟା ମିଳିଗଲେ କଥା ଆଗକୁ ବଢାଇଥାନ୍ତି । ନିକଟରେ ଜଣେ ବ୍ୟକ୍ତି ଖବରକାଗଜରେ ନିଜ ବିବାହ ପାଇଁ ଏକ ବିଜ୍ଞାପନ ଦେଇଛନ୍ତି । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଖବରକାଗଜରେ ଦିଆଯାଇଥିବା ଏହି ବିଜ୍ଞାପନକୁ ନିତିନ୍ ସାଙ୍ଗୱାନ୍ ନାମକ ଜଣେ ଆଇଏଏସ୍ ଅଫିସର୍ ନିଜ ଟ୍ୱିଟର୍ ପୋଷ୍ଟରେ ସେୟାର କରିଛନ୍ତି । କ୍ୟାପସନ୍ରେ ସେ ଭାବୀ ବର / କନ୍ୟା ମାନଙ୍କୁ ଧ୍ୟାନ ଦେବାକୁ କହିଛନ୍ତି । ଜଣେ ବଙ୍ଗୀୟ ଯୁବ ଓକିଲ ନିଜ ପାଇଁ ଏକ କନ୍ୟା ଚାହୁଁଛନ୍ତି । ବିଜ୍ଞାପନରେ ସେ ତାଙ୍କ ବିଷୟରେ ସମସ୍ତ ସୂଚନା ଦେଇଛନ୍ତି ଯେପରିକି ବୟସ, ଉଚ୍ଚତା, ଓଜନ, ବ୍ୟବସାୟ ସବୁକିଛି । ସୁନ୍ଦରୀ, ଗୋରୀ, ଡେଙ୍ଗା ଓ ତନୁପାତଳୀ କନ୍ୟାଟିଏ ଚାହୁଁଥିବା କଥା ଉଲ୍ଲେଖ କରିଛନ୍ତି ଓକିଲ ବାବୁ ଜଣଙ୍କ । ହାଇକୋର୍ଟରେ ସେ ଓକିଲ ଭାବେ କାର୍ଯ୍ୟରତ ଏବଂ ଗାଁରେ ତାଙ୍କର ନିଜସ୍ୱ ଘର ଅଛି । ଓକିଲ ବାବୁ ଜଣଙ୍କ ଏକ ଅଜବ ସର୍ତ ରଖିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ‘ସୋସିଆଲ ମିଡିଆ ପ୍ରତି କନ୍ୟାଙ୍କର ନିଶା ବା ଝୁଙ୍କ୍ ନ ଥିବା ଆବଶ୍ୟକ’ । ବାସ୍ ଏହି ଟ୍ୱିଟ୍ ସେୟାର ହେବା ପରଠାରୁ ଲାଇକ୍ ଡିସ୍ଲାଇକ୍ ଓ ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ପ୍ରକାରର କମେଂଟର ସୁଅ ଛୁଟିବାରେ ଲାଗିଛି । କେବଳ ଏତିକି ନୁହେଁ ସୋସିଆଲ ମିଡିଆ ୟୂଜର୍ସଙ୍କ ପାଇଁ ଏହା ଏକ ପ୍ରକାର ହସର ଖୋରାକ୍ ଯୋଗାଇଛି କହିଲେ କିଛି ଭୂଲ ହେବ ନାହିଁ । ମନପସନ୍ଦର ସାଥୀଟିଏ ଖୋଜିବା ସମସ୍ତଙ୍କର ମୌଳିକ ଅଧିକାର । କାହିଁକି ନାଁ ବିବାହ ପରେ ସାରା ଜୀବନ ଦୁହିଁଙ୍କୁ ସାଥିହୋଇ ରହିବାକୁ ପଡେ । ମନଲାଖି ସାଥି ମିଳିଗଲେ ସାରା ଜୀବନ କ’ଣ ସାତ ଜନ୍ମ ଯାଏ ବି ସାଥି ହୋଇ ରହିବାରେ କିଛି ଅସୁବିଧା ନଥାଏ । ଏହି ବିଜ୍ଞାପନ ଜାରି କରିଥିବା ବ୍ୟକ୍ତି ଜଣଙ୍କର ବିଜ୍ଞାପନକୁ ନେଇ ଇଂଟରନେଟ୍ ଜଗତରେ ଝଡ ଉଠିଛି । ସବୁଠାରୁ ବଡ କଥା ହେଲା ବର୍ତମାନ ସମୟରେ ସୋସିଆଲ ମିଡିଆରେ ସମୟ ବିତାଉନଥିବା ସାଥିଟିଏ ଖୋଜିବା ତାଙ୍କ ପାଇଁ କ’ଣ ଅନ୍ୟମାନଙ୍କ ପାଇଁ ମଧ୍ୟ ଗୋଟେ ବଡ ଚ୍ୟାଲେଞ୍ଜ୍ ।