ପୁରୀ: ପୁରୀ ଜିଲ୍ଲାର ଯୁବ ପଟ୍ଟଚିତ୍ର ଶିଳ୍ପୀ ନୀଳମଣି ଜେନାଙ୍କୁ ଇଣ୍ଟରନାସନାଲ ଆଚିଭମେଣ୍ଟ ଇଣ୍ଡିଆ ଆୱାର୍ଡ ମିଳିଛି। ଏଥିସହ ସେ କୋଭିଡ୧୯ ପ୍ରଦର୍ଶନୀ ବିଶ୍ୱସ୍ତରୀୟ ରେକର୍ଡ ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି। ଇଣ୍ଟରନାସନାଲ ଆର୍ଟ ଆଣ୍ଡ ଇମାଜିନେସନ ଫୋରମ ପକ୍ଷରୁ ନଭେମ୍ବର ୭ ଓ ୮ରେ ବିଶ୍ୱର ଏହି ବୃହତ ପ୍ରଦର୍ଶନୀ ଅନଲାଇନରେ ଅନୁଷ୍ଠିତ ହେବ। ଏଥିପାଇଁ ପୂର୍ବରୁ ନୀଳମଣି କୋଭିଡ୧୯ ନେଇ ନିଜ କଳାକୃତି ପଠାଇବାପରେ ବିଶ୍ୱ ରେକର୍ଡ ପାଇଁ ଟିକେଟ ହାସଲ କରିଛନ୍ତି । କର୍ମଜୀବୀ ହସ୍ତଶିଳ୍ପ ଅନୁଷ୍ଠାନ କରିଥିବା ପଟ୍ଟଚିତ୍ର ଶିଳ୍ପୀ ନୀଳମଣି ପୂର୍ବରୁ ଉଭୟ ଜିଲ୍ଲା ଓ ରାଜ୍ୟସ୍ତରୀୟ ଅନେକ ପ୍ରତିଯୋଗୀତାରେ ଭାଗ ନେଇ ବେଶ ସଫଳତା ପାଇଛନ୍ତି।
ସବୁବେଳେ କିଛି ଭିନ୍ନ କରିବାର ପ୍ରୟାସ କରିଥାନ୍ତି। ତେଣୁ କରୋନା ମହାମାରୀ ସମୟରେ ଶିଳ୍ପୀ ଓ କଳାକାରମାନେ ବେଶୀ ପ୍ରଭାବିତ ହୋଇଥିବା ବେଳେ ନୀଳମଣି କିନ୍ତୁ ଚୁପ ନବସି ଅନଲାଇନ, ୱେବିନାର ଓ ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରଥମେ ରାଜ୍ୟ ଲଳିତ କଳା ଏକାଡେମୀ ପକ୍ଷରୁ କୋଭିଡ୧୯ ପରିଚାଳନାକୁ ନେଇ କଳାକୃତି କରି ପୁରସ୍କୃତ ହେବା ପରେ ଝାଡ଼ଖଣ୍ଡ କଳାକୃତି ଆର୍ଟ ଆଣ୍ଡ ଫାଉଣ୍ଡେସନ ପକ୍ଷରୁ ସ୍ଵର୍ଣ ପଦକ, ପୁଣେ ଲଳିତ କଳା ପ୍ରବୋଧିନି ଦ୍ୱାରା ଶ୍ରେଷ୍ଠ କଳାକାର ସମ୍ମାନ ପାଇଛନ୍ତି। ଏବେ ପୁଣି ଓଡିଶା ଆର୍ଟ ଆଣ୍ଡ କଲଚର ଫାଉଣ୍ଡେସନ ପକ୍ଷରୁ ଶ୍ରେଷ୍ଠ ଶିଳ୍ପୀ ସମ୍ମାନ ସହ ଇଣ୍ଟରନାସନାଲ ଆର୍ଟ ଆଣ୍ଡ ଇମାଜିନେସନ ଫୋରମ ପକ୍ଷରୁ ବିଶ୍ୱ ରେକର୍ଡ ପାଇଁ ଟିକେଟ ହାସଲ କରିଛନ୍ତି।।