କଟକ ନିଆଳିର ସୁଦାମ ସାମଲ କୋରନା ମହାମାରୀ ଅସମୟରେ ଅସହାୟଙ୍କ ବନ୍ଧୁ ସାଜିଛନ୍ତି। ସମସ୍ତେ ଆର୍ଥିକ ଦୁରାବସ୍ଥା ଦେଇ ଗତି କରୁଥିବା ବେଳେ ରାସ୍ତା କଡରେ ବୁଲୁଥିବା ଅସହାୟଙ୍କ ସ୍ଥିତି ନ କହିବା ଭଲ । ହେଲେ ଏମାନଙ୍କୁ ସାହା ହୋଇଛନ୍ତି ସୁଦାମ । ନିଆଳି ଅଞ୍ଚଳର ଦୁଃଖୀ ରଙ୍କି,ମାନସିକ ବିକାର ଗ୍ରସ୍ତ ଲୋକ,ଡାକ୍ତରଖାନାକୁ ଆସୁଥିବା ଅସହାୟ ରୋଗୀ ଓ ଅସହାୟ ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ ପାଇଁ ସୁଦାମ ଆରମ୍ଭ କରିଛନ୍ତି ଏକ ଛୋଟିଆ ପ୍ରୟାସ । ସେ ଅଞ୍ଚଳର କିଛି ବଦାନ୍ୟ ବ୍ୟକ୍ତି, ସାମାଜିକ ସଂଗଠନ ଓ ତାଙ୍କ ବନ୍ଧୁ ମାନଙ୍କ ସହଯୋଗରେ ଆରମ୍ଭ କରିଛନ୍ତି କିଚେନ ଅର୍ଣ୍ଣପୂର୍ଣ୍ଣା ।
ଆଜିକୁ ପାଖାପାଖି 2 ମାସ ହେବ ସେ ନିଆଳି ଅଞ୍ଚଳର ବିଭିନ୍ନ ବସଷ୍ଟାଣ୍ଡ, ଡ଼ାକ୍ତରଖାନା, ବିଭିନ୍ନ ସରକାରୀ ଅଫିସକୁ ଆସୁଥିବା ଅସହାୟ ବୃଦ୍ଧ-ବୃଦ୍ଧାଙ୍କୁ ଓ ରାସ୍ତା କଡରେ ବୁଲୁଥିବା ଅସହାୟ ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରୁଛନ୍ତି । କେବଳ ଏତିକି ନୁହେଁ ବନ୍ୟା,ବାତ୍ୟା ବା କୌଣସି ପ୍ରାକୃତିକ ଦୁର୍ବିପାକ ସମୟରେ ସୁଦାମ ସୁବୁବେଳେ ଅସହାୟ ଲୋକଙ୍କ ପାଖରେ ସାହାଯ୍ୟ ପାଇଁ ପହଞ୍ଚି ଯାଆନ୍ତି । ଏହି କାମରେ ତାଙ୍କୁ ଅନେକ ଆତ୍ମସନ୍ତୋଷ ମିଳେ ବୋଲି କହିଛନ୍ତି ସୁଦାମ । ତେବେ ସୁଦାମ ଅଂଚଳରେ ଯୁବପିଢ଼ୀଙ୍କ ପାଇଁ ଉଦାହରଣ ପାଲଟିଥିବା ବେଳେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।